ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ
ଆଜି ବର୍ମିଂଘମରେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ବିଜୟ ହାସଲ କରି ଉଭୟ ଦଳ ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚାହୁଁଥିବା ବେଳେ ଉଭୟଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିବ । ୟୋଜକ ଇଂଲଣ୍ଡ ବିଶ୍ୱକପର ବଡ ଦାବିଦାର ବୋଲି ମାନା ଯାଉଥିବା ବେଳେ ଆରମ୍ଭରୁ ଏହା ପ୍ରତିଫଳିତ ହୋଇଯାଇଛି । ଦ୍ୱିତୀୟ ଓଭରରେ ହିଁ ଅଷ୍ଟ୍ରେଲିଆର ଅଧିନାୟକ ଇନ୍ଫର୍ମ ବ୍ୟାଟ୍ସମ୍ୟାନ ଆରୋନ୍ ଫିଞ୍ଚଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନର ରାସ୍ତା ଦେଖାଇଛନ୍ତି ଜୋଫ୍ରା ଆର୍ଚର । ଆର୍ଚର ତାଙ୍କ ପ୍ରଥମ ବଲରେ ଆରୋନ୍ ଫିଞ୍ଚଙ୍କୁ ଲେଗ୍ ବିଫୋର ୱିକେଟ ଭାବେ ଆଉଟ କରିଛନ୍ତି । ଫିଞ୍ଚଙ୍କ ପରେ କ୍ରିସ୍ ଓକ୍ସ ଅଷ୍ଟ୍ରେଲିଆକୁ ଦେଇଥିଲେ ସବୁଠାରୁ ବଡ ଝଟକା । ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରି ଦମ୍ଦାର ଖେଳ ପ୍ରଦର୍ଶନ କରିଥିବା ଡେଭିଡ ୱାର୍ଣ୍ଣରଙ୍କୁ ୯ ରନର ବ୍ୟକ୍ତିଗତ ସ୍କୋରରେ ପାଭିଲିୟନକୁ ପଠାଇଥିଲେ ଓକ୍ସ । ତେବେ ଅଷ୍ଟ୍ରେଲିଆ ପାଖରେ ଲମ୍ୱା ବ୍ୟାଟିଂ ଲାଇନ-ଅପ୍ ରହିଥିବା କାରଣରୁ ବର୍ତ୍ତମାନ କିଛି କହିବା ସମ୍ଭବ ହେବନାହିଁ । ହାଣ୍ଡ୍ସକମ୍ୱ ମଧ୍ୟ ତୃତୀୟ ୱିକେଟ ହିସାବରେ ଆଉଟ୍ ହୋଇଛନ୍ତି । ୬.୧ ଓଭର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୧୪/୩ । ପ୍ରଥମ ସେମିଫାଇନାଲରେ ଭାରତକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ସିଧାସଳଖ ଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଆଜିର ମ୍ୟାଚ ଯିଏ ଜିତିବ, ସେହି ଦଳ ଜୁଲାଇ ୧୪ ତାରିଖରେ ଲର୍ଡ୍ସରେ ନ୍ୟୁଜିଲାଣ୍ଡ ସହିତ ଟ୍ରଫି ପାଇଁ ଲଢେଇ କରିବ ।