ବଜେଟ୍‌ ୨୦୨୨ : ଶସ୍ତାହେବ ମୋବାଇଲ ଫୋନ୍‌, ଇମିଟେସନ୍‌ ଗହଣା ମହଙ୍ଗା

ନୂଆଦିଲ୍ଲୀ ୦୧/୦୨ : ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଉପସ୍ଥାପିତ ହୋଇଛି ବଜେଟ୍‌ । ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ୍ । ୬୦ ଲକ୍ଷ ଯୁବକ-ଯୁବତୀଙ୍କୁ ଚାକିରି ଦିଆଯିବା ନେଇ କେନ୍ଦ୍ର ସରକାର ଚଳିତ ବଜେଟ୍‌ରେ ପ୍ରତିଶୃତି ଦେଇଥିବା ବେଳେ, ଦେଶରେ ୮୦ ଲକ୍ଷ ଘର ତିଆରି କରାଯିବା ନେଇ କହିଛନ୍ତି । ବଜେଟ୍‌ରେ ଅନେକ ସାମଗ୍ରୀ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ମଧ୍ୟ ହୋଇଛି । ଅନେକ ସାମଗ୍ରୀ ଉପରୁ କଷ୍ଟମ୍‌ ଡ୍ୟୁଟି ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ସେହିଭଳି କିଛି ସାମଗ୍ରୀ ଉପରେ କଷ୍ଟମ୍‌ ଡ୍ୟୁଟି ବୃଦ୍ଧି କରାଯାଇଛି । ଜାଣନ୍ତୁ ବଜେଟ୍‌ରେ କଣ ହୋଇଛି ଶସ୍ତା କଣ ମହଙ୍ଗା ।

ଏହି ସବୁ ସାମଗ୍ରୀ ମହଙ୍ଗା : ସଂସଦରେ ଉପସ୍ଥାପିତ ହୋଇଥିବା ସାଧାରଣ ବଜେଟ୍‌ରେ ସବୁ ଦିଗକୁ ଧ୍ୟାନ ଦେଇଛନ୍ତି କେନ୍ଦ୍ର ସରକାର । ଇମିଟେସନ୍‌ ଗହଣା ମହଙ୍ଗା ହୋଇଥିବା ବେଳେ, କ୍ୟାପିଟାଲ୍ସ ଗୁଡସ୍‌, ବିଦେଶୀ ଛତା, ଖାଇବା ତେଲ, ତୁଳା, ବ୍ଲିଣ୍ଡିଙ୍ଗ୍‌ ଫୁଏଲ ମହଙ୍ଗା ହେବ ।

ଏହି ସାମଗ୍ରୀ ହେବ ଶସ୍ତା : ଅନେକ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଶସ୍ତା କରିଛନ୍ତି କେନ୍ଦ୍ର ସରକାର । ଯେପରିକି କପଡା, ଚମଡା ଜାତୀୟ ସାମଗ୍ରୀ ଶସ୍ତା ହେବ । ସେହିଭଳି ମୋବାଇଲ ଫୋନ୍‌ ଏବଂ ଚାର୍ଜର ଶସ୍ତା ହେବ । ହୀରା ଅଳଙ୍କାର, କୃଷି ଯନ୍ତ୍ରପାତି, ପଲିସ୍‌ ହୀରାରେ କଷ୍ଟମ୍‌ ଡ୍ୟୁଟି ହ୍ରାସ ହୋଇଛି । ବିଦେଶୀ ମେସିନ୍‌, ଇଲେକ୍ଟ୍ରୋନିକ ସାମଗ୍ରୀ, ଜୋତା, ଚପଲ, ଷ୍ଟିଲ ସାମଗ୍ରୀ, ବଟନ୍‌, ପ୍ୟାକେଜିଂ ବକ୍ସ ଶସ୍ତା ହୋଇଛି ।

Spread the love