ବଜେଟ୍ ୨୦୨୨: କ୍ରିପ୍ଟୋକରେନ୍ସିରୁ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ, ଦେଶର ଡିଜିଟାଲ କରେନ୍ସି ଆଣିବ RBI

ନୂଆଦିଲ୍ଲୀ ୦୧/୦୨ :  ମଙ୍ଗଳବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ନିଜ ବଜେଟ୍ ଅଭିଭାଷଣରେ ଅର୍ଥ ମନ୍ତ୍ରୀ କ୍ରିପ୍ଟୋକରେନ୍ସି ଏବଂ ଅନ୍ୟ ଡିଜିଟାଲ ସମ୍ପତ୍ତିରୁ ଆୟକୁ ବଜେଟ୍ ଅଧିନକୁ ଆଣିବା ପାଇଁ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, କ୍ରିପ୍ଟୋ କରେନ୍ସି ଏବଂ ଅନ୍ୟ ଡିଜିଟାଲ ସମ୍ପତ୍ତିର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗୁ ହେବ । ଏହାସହ ଏକ ନିର୍ଦ୍ଧାରିତ ସୀମାରୁ ଅଧିକ ଟ୍ରାଜେକ୍ସନରେ ଟିଡିଏସ ମଧ୍ୟ ଲାଗୁ ହେବ ବୋଲି ଘୋଷଣା କରାଯାଇଛି ।

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ସମୟରେ ଆର୍ଥିକ ବର୍ଷ ୨୦୨୨-୨୩ ଦେଶରେ ଡିଜିଟାଲ କରେନ୍ସି ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଅର୍ଥ ମନ୍ତ୍ରୀ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଦ୍ୱାରା ଡିଜିଟାଲ କରେନ୍ସିର ଆରମ୍ଭ ହେବା ଦେଶରେ କରେନ୍ସି ପରିଚାଳନାରେ ଅନେକ ସୁଧାର ଆଣିବ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଦୀର୍ଘ ସମୟରୁ ଦେଶରେ କ୍ରିପ୍ଟୋକରେନ୍ସି ଏବଂ ଅନ୍ୟ ଡିଜିଟାଲ ସମ୍ପର୍ତ୍ତିକୁ ନିୟମିତ କରିବା ପାଇଁ ଏକ ବିଲ ଆଣିବା ଉପରେ ବିଚାର କରୁଛନ୍ତି । ଏହାକୁ ‘କ୍ରିପ୍ଟୋ ବିଲ’ ନାଁରେ ମଧ୍ୟ ଜଣାଯାଏ। ପୂର୍ବରୁ ଏହି ବିଲକୁ ଶୀତ ଅଧିବେଶନରେ ଆଗତ କରିବାକୁ ସରକାର ବିଚାର କରୁଥିଲେ। କିନ୍ତୁ କ୍ରିପ୍ଟୋ ଇଣ୍ଡଷ୍ଟ୍ରୀ ସହ ଜଡିତ ଅନ୍ୟ ଅସୁବିଧା ଯୋଗୁଁ ଏହାକୁ ଆଗତ କରାଯାଇ ନଥିଲା ।

Spread the love