ବଜେଟ୍‌କୁ ନେଇ ପିଏମ୍‌ ମୋଦି କହିଲେ, ‘ସାଧାରଣ ଲୋକଙ୍କୁ ଗୁରୁତ୍ବ, ଚାଷୀଙ୍କୁ ବିଶେଷ ସୁବିଧା, ୧୦୦ ବର୍ଷର ବିଶ୍ବାସର ବଜେଟ୍‌’

ନୂଆଦିଲ୍ଲୀ ୦୧/୦୨: ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ସାଧାରଣ ଲୋକଙ୍କୁ ଏହି ବଜେଟ୍‌ ବେଶ୍‌ ସୁହାଇବ ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ । ସାଧାରଣ ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ ୧୦୦ ବର୍ଷ ମଧ୍ୟରେ ହୋଇଥିବା ଭୟଙ୍କର ମହାମାରୀ ମଧ୍ୟରେ ଦେଶ ବିକାଶର ନୂଆ ବିଶ୍ବାସ ନେଇ ଆସିଛି । ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ସହ ସାଧାରଣ ଜନତାଙ୍କୁ ବେଶ୍‌ ସୁହାଇବ ଏହି ବଜେଟ୍‌ ।’

ମୋଦି କହିଛନ୍ତି, ‘ଏହି ବଜେଟ୍‌ ୧୦୦ ବର୍ଷର ବିଶ୍ବାସର ବଜେଟ୍‌ । ସାଧାରଣ ବଜେଟ୍‌କୁ ନେଇ ଲୋକଙ୍କର ସକାରାତ୍ମକ ପ୍ରତିକ୍ରିୟା ମିଳୁଛି । ବଜେଟ୍‌ରେ ପୁରା ଫୋକସ୍‌ରେ ରହିଛନ୍ତି ଗରିବ ଲୋକେ । ଏଥିରେ ରୋଜଗାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ । ୟୁପି, ଉତ୍ତରାଖଣ୍ଡ, ବିହାର ଏବଂ ଝାଡଖଣ୍ଡ ଭଳି ରାଜ୍ୟକୁ ବଜେଟ୍‌ରେ ବିଶେଷ ଧ୍ୟାନ ଦିଆଯାଇଛି ।’

ପିଏମ୍‌ କହିଛନ୍ତି, ‘ଏହି ବଜେଟ୍‌ରେ ଭିତ୍ତିଭୂମି ବିକାଶ, ଅଧିକରୁ ଅଧିକ ବିନିଯୋଗ, ଅଭିବୃଦ୍ଧି ଏବଂ ନିଯୁକ୍ତିର ନୂଆ ସମ୍ଭାବନାରେ ଭରି ରହିଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ତଥା ଉତ୍ତର ପୂର୍ବ ଅଞ୍ଚଳ ଗୁଡିକ​‌ରେ ପର୍ବତମାଳା ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି ଯୋଜନା ଦ୍ବାରା ପାହାଡିଆ ଅଞ୍ଚଳରେ ପରିବହନ ବ୍ୟବସ୍ଥା କରାଯିବ । ଯାହା ଫଳରେ ସେସବୁ ଅଞ୍ଚଳରେ ଲୋକମାନଙ୍କର ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି ହେବ ।

ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିଙ୍କ ପାଇଁ ଏହି ବଜେଟ୍‌ରେ ବିଶେଷ ସୁବିଧା ରହିଛି । ସମସ୍ତଙ୍କ ନିକଟରେ ପକ୍କା ଘର, ନଳରେ ପାଣି, ଶୌଚାଳୟ, ଗ୍ୟାସ୍‌ ସୁବିଧା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଏହା ସହିତ ଆଧୁନିକ ଇଣ୍ଟରନେଟ୍‌ ସଂଯୋଗୀକରଣ ଉପରେ ମଧ୍ୟ ଜୋର୍‌ ଦିଆଯାଇଛି । ୨.୨୫ ଲକ୍ଷ କୋଟି ଟଙ୍କାର ଏମ୍‌ଏସ୍‌ପି ସିଧା ଚାଷୀଙ୍କ ନିକଟରେ ପହଞ୍ଚା ଯିବ । ଚାଷୀଙ୍କ ଆୟ ଦୁଇ ଗୁଣ ହେବ । MSMIରେ ଅନେକ କ୍ରେଡିଟ୍‌ ଗ୍ୟାରେଣ୍ଟି ଏବଂ ଅନେକ ନୂଆ ଯୋଜନାର ଘୋଷଣା କରାଯାଇଛି ।’

Spread the love