ଦୁଇ ଭାଇଙ୍କ ନିଆରା ସମ୍ପର୍କ, ଏକା ସାଙ୍ଗରେ ବିବାହ ଓ କୋକେଇ

ସିରୋହି ୦୨/୦୨ : ରାଜସ୍ଥାନର ସିରୋହିରେ ଦୁଇ ଭାଇଙ୍କ ସମ୍ପର୍କର କାହାଣୀ ଏବେ ଖୁବ ଚର୍ଚ୍ଚାରେ। ଉଭୟଙ୍କ ଭିତରେ ଭଲପାଇବା ଏତେ ନିବିଡ଼ ଥିଲା ଯେ ମରିବା ପର୍ଯ୍ୟନ୍ତ ଦୁଇଜଣ ସାଙ୍ଗରେ ରହିଲେ। ଗୋଟିଏ ଦିନରେ ବାହା ହେଲେ ଆଉ ଏକାସାଙ୍ଗରେ ଦୁନିଆ ଛାଡି ଚାଲିଗଲେ। ସେମାନଙ୍କ ଭିତରେ ବନ୍ଧୁତା, ଭଲପାଇବାର ଉଦାହରଣ ଲୋକମାନଙ୍କ ପାଇଁ ପ୍ରେରଣା ସାଜିଛି। ଆସନ୍ତୁ ଜାଣିବା ଦୁଇ ଭାଇଙ୍କ ବିଷୟରେ ।

ଏହି ଦୁଇ ଭାଇ ହେଉଛନ୍ତି ରାୱତାରାମ ଓ ହୀରାରାମ । ଦୁହେଁ ସିରୋହିର ରେୱଦର ଉପଖଣ୍ଡ ଡାଂଗରାଲି ଗାଁର ବାସିନ୍ଦା । ଦୁଇ ଭାଇଙ୍କ ବୟସରେ ରହିଛି ୧୫ ବର୍ଷର ବ୍ୟବଧାନ। ତଥାପି ଜୀବନ ସାରା ଦୁଇଭାଇ ସାଙ୍ଗ ହୋଇ ରହିଛନ୍ତି । ତାଙ୍କ ଭିତରେ ଏମିତି ସଂଯୋଗ ଯେ ଦୁଇ ଜଣଙ୍କ ବିବାହ ଗୋଟିଏ ଦିନରେ ହୋଇଥିବା ବେଳେ ଗୋଟିଏ ଦିନରେ ମଧ୍ୟ ଦୁହେଁ ସଂସାର ଛାଡ଼ିଛନ୍ତି ।

୧୫ ରୁ ୨୦ ମିନିଟ ବ୍ୟବଧାନରେ ରାୱତାରାମ ଓ ହୀରାରାମଙ୍କ ମୃତ୍ୟୁ ଘଟିଛି।  ଡାଂଗରାଲିରେ ରାୱତାରାମ ଓ ହୀରାରାମଙ୍କ ପରିବାରରେ ଏବେ ଶୋକାକୁଳ ପରିବେଶ ରହିଛି। ଘରର ଦୁଇଜଣ ବୟସ୍କ ବ୍ୟକ୍ତିଙ୍କ କୋକେଇ ଏକାସାଙ୍ଗରେ ଉଠିଛି । ରାୱତାରାମଙ୍କ ବଡ଼ପୁଅ ଭିକାଜିଙ୍କ ଉପରେ ପରିବାର ସମ୍ଭାଳିବାର ଦାୟିତ୍ଵ ରହିଛି। ଭିକାଜି ନିଜ ପରିବାର ସହିତ ତାଙ୍କ କକା ହୀରାରାମଙ୍କ ପରିବାରର ଦାୟିତ୍ୱ ମଧ୍ୟ ବୁଝିବେ । ଦୁଇ ପରିବାରରେ ମୋଟ ୧୧ ଜଣ ଭାଇ ଭଉଣୀ ଅଛନ୍ତି ।

ଭିକାରାମଙ୍କୁ ପଚାରିବାରୁ ସେ କହିଛନ୍ତି ତାଙ୍କ ବାପା (ରାୱତାରାମ ପାଖାପାଖି ୯୦ ବର୍ଷ) ଓ କକାଙ୍କ(ହିରାରାମ ପାଖାପାଖି ୭୫ ବର୍ଷ) ଭିତରେ ଥିବା ପ୍ରେମ ଓ ଭାଇଚାରା ତାଙ୍କ ଅଞ୍ଚଳରେ ପ୍ରସିଦ୍ଧ ଥିଲା। ତାଙ୍କ ବାପା ଓ କକା ଏକା ସହିତ ପରିବାରକୁ ଛାଡ଼ି ଚାଲିଯିବା ତାଙ୍କୁ ବିଶ୍ୱାସ ହେଉନି। ଭିକାରାମ କହିଛନ୍ତି ତାଙ୍କ କକା ହୀରାରାମ କିଛିଦିନ ହେଲା ଅସୁସ୍ଥ ଥିଲେ, କିନ୍ତୁ ତାଙ୍କ ବାପା ରାୱତାରାମ ପୁରା ସୁସ୍ଥ ଥିଲେ। ଜାନୁଆରୀ୨୮ ତାରିଖରେ ସେ ସକାଳରୁ କିଛି ଖାଇନଥିଲେ।

ଭିକାରାମ କହିଛନ୍ତି ଏହି କଥା ଯେତେବେଳେ ତାଙ୍କ ମାଆ ଜାଣିଲେ ସେ ବାପାଙ୍କୁ ଖାଇବା ପାଇଁ କହିଥିଲେ।  ପରେ ରାଓ୍ଵତରାମ ବିସ୍କୁଟ ଖାଇଲେ ଓ କକାଙ୍କ କଥା ପଚାରି ଶୋଇପଡ଼ିଲେ। ଏହା ପରଠୁ ସେ ଆଉ ଉଠିନଥିଲେ। ସକାଳେ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ ।

ଭିକାରାମ କହିଛନ୍ତି ଏପଟେ ବାପା ଦୁନିଆରୁ ବିଦାୟ ନେଇଥିବା ବେଳେ ସେପଟେ କକା ହୀରାରାମ ଅସୁସ୍ଥ ଥିଲେ। ଥଣ୍ଡା ଯୋଗୁଁ ତାଙ୍କୁ ପିଣ୍ଡାରେ ଖରାକୁ ନେଇଯିବାକୁ କହିଥିଲେ। ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Spread the love