ଯଦି କ୍ଷମତାକୁ ଆସିବୁ ବିଜେପି ଅପେକ୍ଷା ଶୀଘ୍ର ଭବ୍ୟ ରାମ ମନ୍ଦିର ନିର୍ମାଣ କରିବୁ: ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ ୦୨।୦୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ କଡା ଟକ୍କର ଦେଉଛି ସମାଜବାଦୀ ପାର୍ଟି। ତେବେ ଏହା ମଧ୍ୟରେ ସପାର ରାଜ୍ୟସଭା ସାଂସଦ ରାମ ଗୋପାଲ ଯାଦବ ଏହା କହି ନିର୍ବାଚନୀ ରଣାଙ୍ଗନକୁ ଆହୁରି ରୋଚକ କରି ଦେଇଛନ୍ତି ଯେ, ତାଙ୍କ ପାର୍ଟି ଯଦି ରାଜ୍ୟରେ ସରକାର ଗଢେ ତେବେ ବିଜେପି ଅପେକ୍ଷା ଆହୁରି କମ ସମୟରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରିବ। ସପା ସାଂସଦ ଏହି ବୟାନ ଦେଇ ରାମ ମନ୍ଦିର ପ୍ରସଙ୍ଗରେ ବିଜେପିକୁ ଟକ୍କର ଦେବାକୁ ଚେଷ୍ଟା କରିଛନ୍ତି।

ବୁଧବାର ରାଜ୍ୟସଭାରେ ଗୃହକାର୍ଯ୍ୟ ସମୟରେ ସମାଜବାଦୀ ପାର୍ଟିର ସାଂସଦ ରାମ ଗୋପାଳ ଯାଦବ  ନିଜ ପାର୍ଟି ପ୍ରମୁଖ ଅଖିଳେଶ ଯାଦବଙ୍କ ଉପରେ ଅମିତ୍ ଶାହା ଦ୍ଵାରା ଅଯୋଧ୍ୟାରେ  ରାମ ମନ୍ଦିର ନିର୍ମାଣକୁ ରୋକିବା ଅଭିଯୋଗକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି ବିଜେପି ନେତା ଏହି ପରି ବୟାନ ଦେଇ ସପାକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସେ ଦାବି କରିଛନ୍ତି ଯେ, ଯଦି ତାଙ୍କ ପାର୍ଟି ୟୁପିର କ୍ଷମତାକୁ ଆସେ ତେବେ ବିଜେପି ସରକାର ତୂଳନାରେ ଶୀଘ୍ର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କରି ପାରିବ।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରୀ ଅମିତ୍ ଶାହା ଚିତ୍ରକୂଟରେ କହିଥିଲେ ଯେ, ଅଖିଳେଶ ଯାଦବ କେତେ ବି ଉଦ୍ୟମ କରନ୍ତୁ, ମନ୍ଦିର ନିର୍ମାଣ କାର୍ଯ୍ୟ ରୋକି ପାରିବେ ନାହିଁ। ଆଜି  ରାଜ୍ୟସଭାରେ ରାମ ଗୋପାଳ ଯାଦବ କହିଛନ୍ତି, ମନ୍ଦିର କାମ କିଏ ରୋକୁଛି ? ବାସ୍ତବରେ ବିଜେପିର ଲୋକେ ମନ୍ଦିର ଚୋରି କରୁଛନ୍ତି। ଯଦି ଅଖିଳେଶ ଯାଦବଙ୍କ ସରକାର କ୍ଷମତାକୁ ଆସେ ତେବେ ମନ୍ଦିର କାମ ଶୀଘ୍ର ସରିବା ସହିତ ଭବ୍ୟ କରାଯିବ। ଏଥିସହ ବିଜେପିର ମନ୍ଦିର ଚୋରି ଉପରେ ରୋକ୍ ଲାଗିବ।  

ମନ୍ଦିରରୁ ଚୋରି ରୋକିବା ଅଭିଯୋଗ ଉପରେ ସମାଜବାଦୀ ପାର୍ଟି ସାଂସଦ କହିଛନ୍ତି, ଅଯୋଧ୍ୟାରେ ସ୍ଥାନୀୟ ବିଜେପି ନେତା ଏବଂ ରାମ ମନ୍ଦିର ଟ୍ରଷ୍ଟର କିଛି ସଦସ୍ୟ ମିଳିମିଶି ଜମି ଘୋଟାଲା କରିଛନ୍ତି। ରାମ ଜନ୍ମଭୂମି ସ୍ଥଳ ନିକଟରେ ସ୍ଥିତ ସଂପତ୍ତିକୁ ନେଇ ନକଲି କାଗଜପତ୍ର ଜରିଆରେ ଅନ୍ୟ ଲୋକଙ୍କୁ ବିକ୍ରି କରାଯାଇଛି। ୨ କୋଟିର ଜମିକୁ ହେରଫେର କରାଯାଇ ୧୮ କୋଟି ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ କରିଛି ସମାଜବାଦୀ ପାର୍ଟି।

Spread the love