ପଂଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଛି ; ଦଳପ୍ରତି ଜନସମର୍ଥନ କମିନାହିଁ : ସମୀର ମହାନ୍ତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଘୋଷଣା ହୋଇଥିବା ଫଳାଫଳକୁ ଆମେ ନମ୍ରତାର ସହ ସ୍ୱୀକାର କରୁଛୁ ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପଂଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରିପ୍ରେକ୍ଷୀରେ ଶ୍ରୀ ମହାନ୍ତି କହିଛନ୍ତିଯେ, ପଂଚାୟତ ନିର୍ବାଚନରେ ସିଟ୍ ସଂଖ୍ୟା କମିଥିଲେ ମଧ୍ୟ ଦଳପ୍ରତି ଜନସମର୍ଥନ କମିନାହିଁ । ଏହି ନିର୍ବାଚନରେ ଦଳକୁ ୬୩ ଲକ୍ଷ ୨୩ ହଜାର ୭୪୬ ଭୋଟ୍ ମିଳିଛି, ଯାହା ମୋଟ ଭୋଟର ୩୦.୦୭ ପ୍ରତିଶତ । ଦଳ ଉପରେ ଭରସା ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛି । ନିର୍ବାଚନରେ ଆମ ଦଳର ଅକ୍ଳାନ୍ତ ପରିଶ୍ରମ କରିଥିବା କାର୍ଯ୍ୟକର୍ତାଙ୍କୁ ସାଧୁବାଦ । ଏହା ସହ ନିର୍ବାଚନରେ ବିଜୟ ଲାଭ କରିଥିବା ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଉଛି । ନିର୍ବାଚନ ସମୟରେ ସଂଗ୍ରାମ କରି ବଳିଦାନ ଦେଇଥିବା କାର୍ଯ୍ୟକର୍ତା ଓ ଆହତ ହୋଇଥିବା କାର୍ଯ୍ୟକର୍ତାଙ୍କ ପରିବାରକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଗଭୀର ସମବେଦନା ଜଣାଇଛନ୍ତି ।

ଓଡ଼ିଶାର ଜନସାଧାରଣଙ୍କ ସାଙ୍ଗରେ ଆମେ ଅଛୁ ଓ ଆଗକୁ ମଧ୍ୟ ରହିବୁ। ପଂଚାୟତ ନିର୍ବାଚନରେ ମିଳିଥିବା ଫଳାଫଳକୁ ଆମେ ଗୁରୁତ୍ୱର ସହ ସମୀକ୍ଷା କରିବୁ । ଦଳର ତ୍ରୁଟିକୁ ସୁଧାରିବା ପାଇଁ ଚେଷ୍ଟା କରିବୁ । କଣ କଣ ଭୁଲ ହେଲା ତାହାର ନିଖୁଣ ତର୍ଜମା କରି ଏ ଦିଗରେ ଆଗାମୀ ଦିନର ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରାଯିବ। ଦଳ ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହେବାପାଇଁ ଚେଷ୍ଟା କରିବ । ଆସନ୍ତା ପୌର ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଛି ଓ ନିଶ୍ଚିତ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଓଡ଼ିଶାର ବିକାଶ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସମୃଦ୍ଧି ପାଇଁ ବିଜେପି ଲଢ଼େଇ କରୁଛି ଏବଂ ଆଗକୁ ମଧ୍ୟ କରୁଥିବ । ଓଡ଼ିଶାରେ ରାଜନୈତିକ ପରିବର୍ତନ ପାଇଁ ବିଜେପି ନିରନ୍ତର ସଂଗ୍ରାମ ଜାରୀ ରଖିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଓ ଡ.ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love