ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୨।୦୩: ୟୁକ୍ରେନ ଉପରେ ରୁଷର ଘନ ଘନ ଆକ୍ରମଣ ମଧ୍ୟରେ ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ ନାମକ ଛାତ୍ରଙ୍କ ବୁଧବାର ମୃତ୍ୟୁ ଘଟିଛି। ହେଲେ ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି। ସେ ୟୁକ୍ରେନର ଭିନିସ୍ତିଆ ଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର  ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକ ବାସିନ୍ଦା ନବୀନଙ୍କ ଖାରକିଭରେ ଗୁଳିମାଡରେ ମୃତ୍ୟୁ ଘଟିଥିଲା।

ଚନ୍ଦନ ଭିନିସ୍ତିଆ ନ୍ୟାସନାଲ ପାଇରୋଗୋଭ, ମେମୋରିଆଲ ମେଡିକାଲ କଲେଜରେ ପଢୁଥିଲେ। ଚନ୍ଦନଙ୍କ ବାପା କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପୁଅର ମୃତଦେହ ଭାରତ ଆଣିବାକୁ ଦାବି କରିଛନ୍ତି। ଅନ୍ୟପଟେ କ୍ରେନ୍ଦ ସରକାରଙ୍କ ପକ୍ଷରୁ କର୍ଣ୍ଣାଟକର ନବୀନଙ୍କ ମୃତଦେହ ତୁରନ୍ତ ଭାରତ ଅଣାଯିବା ନେଇ ପ୍ରୟାସ ଜାରି ରହିଛି।  ୟୁକ୍ରେନ୍ ନିଜର ଏୟାରସ୍ପେସ୍‌କୁ  ବନ୍ଦ କରିଛି। ଏଭଳି ସ୍ଥିତିରେ ସେଠାରେ କୌଣସି ଦେଶର ବିମାନ ଅବତରଣ କରି ପାରିବ ନାହିଁ। ୟୁକ୍ରେନରେ ଏୟାରସ୍ପେସ୍ ବନ୍ଦ ଥିବାରୁ ଭାରତ ସରକାର ବର୍ତ୍ତମାନ ପଡୋଶୀ ଦେଶ  ଜରିଆରେ ନିଜର ନାଗରିକ ଏବଂ ଛାତ୍ରଙ୍କୁ ସୁରକ୍ଷିତ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେହି ପରି ମୃତଦେହକୁ ମଧ୍ୟ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ମାର୍ଗ ଜରିଆରେ ନିଆଯାଇ ପାରିବ। ଉଲ୍ଲେଖନୀୟ ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବାହାର କରାଯାଇଛି। ଖାରକିଭ, କିଭ ସମେତ ୟୁକ୍ରେନର ଅନେକ ଦେଶରେ ଛାତ୍ର ଫସି  ରହିଛନ୍ତି। ଏଥିରୁ ଅଧିକାଂଶ ଡାକ୍ତରୀ ଛାତ୍ର ଅଛନ୍ତି।

Spread the love