ଏମ୍ସରେ ଖୋଲିଲା ସ୍ୱତନ୍ତ୍ର ରିମାଟୋଲୋଜି କ୍ଳିନିକ୍

ଭୁବନେଶ୍ୱର: ଆଣ୍ଠୁଗଣ୍ଠି ବାତ ଓ ମାଂସପେଶୀଜନିତ ବିଭିନ୍ନ ରୋଗ ଏବଂ ଏସ୍‌ଏଲଇ ଓ ସ୍କ୍ଲ‌େରୋଡର୍ମା ଭଳି ନାନା ସମସ୍ୟାରେ କଷ୍ଟ ଭୋଗୁଥିବା ବ୍ୟକ୍ତିଙ୍କୁ ବିଶେଷ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏମ୍‌ସ ଭୁବନେଶ୍ୱରରେ ବହୁପ୍ରତୀକ୍ଷିତ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ସ୍ୱତନ୍ତ୍ର କ୍ଲିନିକ୍ ସେବାର ଶୁଭାରମ୍ଭ କରାଯାଇଛି। ଏମ୍‌ସ ଭୁବନେଶ୍ୱରର ଜେନେରାଲ୍ ମେଡିସିନ୍ ବିଭାଗ ଅଧୀନରେ ଏହି ସ୍ୱତନ୍ତ୍ର କ୍ଲିନିକ୍ ଚଳିତ ମାସ ୪ରୁ କାର୍ଯ୍ୟାରମ୍ଭ କରିଛି। ଏହି କ୍ଲିନିକ୍ ଜେନେରାଲ୍ ମେଡିସିନ୍ ବିଭାଗର ମୁଖ୍ୟ ଡ. ଅନୁପମ ଦେ’ଙ୍କ ନେତୃତ୍ୱରେ ପରିଚାଳିତ ହେବ। ଏହି କ୍ଲିନିକ୍ ପ୍ରତ୍ୟେକ ଶୁକ୍ରବାର ଦିନ ୨ ରୁ ୫ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ।ଭାରତୀୟ ଜନସଂଖ୍ୟାର ପ୍ରାୟ ୧୫–୨୦% ପ୍ରତିଶତ ଲୋକ ଗଣ୍ଠିବାତ ଓ ମାଂସପେଶୀଜନିତ ଭଳି ବିଭିନ୍ନ ରୋଗରେ ପୀଡ଼ିତ। ଭାରତରେ ପ୍ରାୟ ୧୮୦ ମିଲିୟନରୁ ଅଧିକ ଲୋକଙ୍କୁ ଗଣ୍ଠିବାତ(ଆର୍ଥ୍ରାଇଟିସ୍) ପ୍ରଭାବିତ କରିଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରାୟ ୧୦ ଲକ୍ଷ ଲୋକ ଯନ୍ତ୍ରଣାଦାୟକ ରିମାଟଏଡ ଆର୍ଥ୍ରାଇଟିସରେ ପୀଡ଼ିତ। ଗଣ୍ଠିବାତଜନିତ (ରିମାଟୋଲୋଜିକାଲ୍) ରୋଗ ସବୁ ବୟସ ବର୍ଗଙ୍କୁ ପ୍ରଭାବିତ କରିଥାଏ। ଏହି ରୋଗର ପ୍ରକୃତି ଦୀର୍ଘସ୍ଥାୟୀ ଏବଂ ସୁସ୍ଥ ହେବା ପରେ ମଧ୍ୟ ପୁନର୍ବାର ଫେରୁଥିବାରୁ ଏହା ଦୀର୍ଘ ଦିନର ଚିକିତ୍ସା ଆବଶ୍ୟକ କରିଥାଏ ବୋଲି ରିମାଟୋଲୋଜି କ୍ଲିନିକ୍‌ ମୁଖ୍ୟ ଡ. ଅନୁପମ ଦେ ପ୍ରକାଶ କରିଛନ୍ତି।

ଏମ୍‌ସ ଭୁବନେଶ୍ୱରରେ କାର୍ଯ୍ୟ ଆରମ୍ଭ କରିଥିବା ରିମାଟୋଲୋଜି ସ୍ୱତନ୍ତ୍ର କ୍ଲିନିକ୍ ଆର୍ଥ୍ରାଇଟିସ୍ ରୋଗୀ ଏବଂ ବିଭିନ୍ନ ଅଟୋଇମ୍ୟୁନୋ ରୋଗରେ ପୀଡିତ ଲୋକଙ୍କୁ ବିଶେଷ ସେବା ଯୋଗାଇଦେବ। ଇଞ୍ଜେକ୍ସନ ନେଉଥିବା କିମ୍ବା ଇମ୍ୟୁନୋସପ୍ରେସାଣ୍ଟ୍‌ ଔଷଧ ଆବଶ୍ୟକ କରୁଥିବା ରୋଗୀଙ୍କୁ ଡେକେୟାର୍‌ ଚିକିତ୍ସା ସେବା ଯୋଗାଇ ଦିଆଯିବା ସହିତ ରୋଗୀଙ୍କୁ ଚିକିତ୍ସା ପରାମର୍ଶ ଏବଂ କାଉନ୍‌ସେଲିଙ୍ଗ୍‌ ମଧ୍ୟ କରାଯିବବୋଲି ଡ. ଅନୁପମ ଦେ ସୂଚନା ଦେଇଛନ୍ତି।

ଏହି ଅବସରରେ ମେଡିସିନ୍ ଓପିଡିରେ ଜନସଚେତନତା ଅଭିଯାନ ହାତକୁ ନିଆଯାଇଥିଲା। ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ବିଭିନ୍ନ ରିମାଟୋଲୋଜିକାଲ୍ ରୋଗ, ଏହାର ଶୀଘ୍ର ଚିହ୍ନଟ ଏବଂ ନିରାକରଣ ସମ୍ପର୍କରେ ସୂଚନା ପ୍ରଦାନ ସହିତ ପାମ୍ପଲେଟ୍ ମଧ୍ୟ ବଣ୍ଟନ କରାଯାଇଥିଲା। ଏହି ସ୍ୱତନ୍ତ୍ର କ୍ଲିନିକ୍‌ରେ ଡ. ସୁଜାତା ଦେବୀ, ଡ. ଦେବାନନ୍ଦ ସାହୁ ଏବଂ ଡ. ଅର୍ପିତା ଦାଶ ପ୍ରମୁଖ ସେବା ଯୋଗାଇଦେବେ। ଏମ୍‌ସ ଭୁବନେଶ୍ୱରରେ ଆଣ୍ଠୁଗଣ୍ଠି ବାତ (ରିମାଟୋଲୋଜି) ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ ଫଳରେ ହଜାର ହଜାର ରୋଗୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଛି।

Spread the love