ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ୭୫ ଟଙ୍କା ହେଲା ମହଙ୍ଗା, ମାସକରେ ୩ ଥର ବଢ଼ିଲାଣି ଦର

କଲମ୍ବୋ ୧୧।୩: ମୁଦ୍ରାର ଅଧିକ ଅବମୂଲ୍ୟାୟନ ଲାଗି ଇଣ୍ଡିଆନ ଅଏଲ କର୍ପୋରେସନଙ୍କ ଶ୍ରୀଲଙ୍କା ସବସିଡାରୀ ଶୁକ୍ରବାର ପେଟ୍ରୋଲ ଲିଟର ପିଛା ୫୦ ଓ ଡିଜେଲ ୭୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ସାରା ଦେଶରେ କାର୍ଯ୍ୟକାରୀ ହୋଇଛି। ଶ୍ରୀଲଙ୍କାରେ ଏହା ମାସକରେ ତୃତୀୟବାର ଦର ବୃଦ୍ଧି। ଏହି ମୂଲ୍ୟ ବୃଦ୍ଧି ପରେ ଦେଶରେ ଲିଟର ପିଛା ପେଟ୍ରୋଲ ଏବେ ୨୫୪ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ୨୧୪ ଟଙ୍କା ଦରରେ ବିକ୍ରି ହେଉଛି।

ଶ୍ରୀଲଙ୍କାରେ ଇନ୍ଧନ ଦର ବୃଦ୍ଧି ଏବେ ଲୋକଙ୍କ ପକେଟକୁ ପ୍ରଭାବିତ କରୁଛି। ତେବେ ଦେଶରେ ଉପୁଜିଥିବା ପରିସ୍ଥିତି ଯୋଗୁ ନାଗରିକ ମୂଲ୍ୟବୃଦ୍ଧିକୁ ସହିବାକୁ ବାଧ୍ୟ ହେଉଛନ୍ତି। ଗତ ୭ ଦିନରେ ଆମେରିକୀୟ ଡଲାର ତୁଳନାରେ ଶ୍ରୀଲଙ୍କ ଟଙ୍କାର ମୂଲ୍ୟ ପାଖାପାଖି ୫୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହେଲାଣି। ଯାହାର ସିଧା ପ୍ରଭାବ ଦେଶରେ ପେଟ୍ରୋଲିୟମ ପଦାର୍ଥ ଉପରେ ପଡିଛି। ଋଷିଆର ୟୁକ୍ରେନ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶମାନେ ଋଷିଆ ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଏହାର ପ୍ରଭାବ ମଧ୍ୟ ଏବେ ଶ୍ରୀଲଙ୍କା ନାଗରିକଙ୍କ ଉପରେ ପଡୁଛି

ଦେଶରେ ସରକାର ପେଟ୍ରୋଲ ଡିଜେଲ ଲାଗି କୌଣସି ସବସିଡି ଦିଅନ୍ତି ନାହିଁ। ଏଣୁ ଅନ୍ତର୍ଜାତୀୟ ବଜାରରୁ କିଣା ଦରରେ ଦେଶରେ ପେଟ୍ରୋଲ ଓ ଡିଜେଲ ସମେତ ପେଟ୍ରୋଲିୟମ ପଦାର୍ଥର କାରବାର ହୁଏ। ଅନ୍ତର୍ଜାତୀୟ ବଜାରରେ ଏବେ କ୍ରୁଡ ଦର ଉଚ୍ଚ ରହୁଛି। ଏଣୁ ତୈଳ କମ୍ପାନୀଙ୍କୁ ମଧ୍ୟ ଦେଶରେ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ମାସକରେ ଶ୍ରୀଲଙ୍କା ତୈଳ କମ୍ପାନୀମାନେ ୩ ଥର ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି।

Spread the love