ଏମିତି ବଞ୍ଚିବ ପେଟ୍ରୋଲ ଡ଼ିଜେଲ

ରୁଷ୍‌-ୟୁକ୍ରେନ ଯୁଦ୍ଧ ୧୫ଦିନ ବିତିଗଲାଣି।ଯୁଦ୍ଧର ପ୍ରଭାବ ଏବେ ଲୋକଙ୍କ ଉପରେ ପଡ଼ିଛିି।ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୧୪୦ ଡଲାର ଅତିକ୍ରମ କରିଛି। ଗତ ୧୪ ବର୍ଷ ମଧ୍ୟରେ ଦର କେବେ ଏତେ ବୃଦ୍ଧି ହୋଇ ନଥିଲା। ଏଭଳି ପରିସ୍ଥିତିରେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ନିଶ୍ଚିତ ବୃଦ୍ଧି ପାଇବ ବୋଲି କୁହାଯାଉଛି।ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ଦେଶର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। କାରଣ ଏହା ସିଧାସଳଖ ତାଙ୍କ ପକେଟକୁ ପ୍ରଭାବିତ କରିବ। ତେବେ ଆପଣ କିଛି ସରଳ ଉପାୟ ଅନୁସରଣ କରି ମାସକୁ ପ୍ରାୟ ୧୦ ପ୍ରତିଶତ ପେଟ୍ରୋଲ ମୂଲ୍ୟ ସଞ୍ଚୟ କରିପାରିବେ।ଯଥା-

କାର୍‌କୁ ଛାଇ କିମ୍ବା ବେସମେଣ୍ଟରେ ରଖନ୍ତୁ। ଏହାଦ୍ବାରା ତା’ର ତାପମାତ୍ରା ୬୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିବ ନାହିଁ। ଫଳରେ ଏସି କଂପ୍ରେସର ଉପରେ କମ୍‌ ଚାପ ପଡ଼ିବ ଓ କାର୍‌ ଶୀଘ୍ର ଥଣ୍ଡା ହେବ।

 ଯଦି ଗାଡ଼ି ଖରାରେ ପାର୍କିଂ ହୋଇଛି, ତାହେଲେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଡୋର୍‌ ଖୋଲା କରି ଦିଅନ୍ତୁ। ଡୋର୍‌କୁ ୪ରୁ ୫ଥର ଖୋଲା ବନ୍ଦ କରନ୍ତୁ। ଏହାଦ୍ବାରା ଗରମ ପବନ ବାହାରକୁ ବାହାରିଯିବ। କାରରେ ବସିବା ପରେ ଏସି ଚଲାଇ ଦିଅନ୍ତୁ ଓ କିଛି ସମୟ ପାଇଁ ଝରକା ଖୋଲା କରି ଦିଅନ୍ତୁ। ଗରମ ପବନ ବାହାରିଯିବ।

କାରର କ୍ଲଚ୍‌କୁ ଅଯଥା ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଇନ୍ଧନ ଅଧିକ ଖର୍ଚ୍ଚ ହୁଏ। କେବଳ ଗିୟର ସିଫ୍ଟ ଓ ଅତି ଆବଶ୍ୟକ ସ୍ଥଳେ ଏହାର ବ୍ୟବହାର କରନ୍ତୁ।

  ବାଇକର ଗତି ସମାନ ରଖନ୍ତୁ। ଅଚାନକ ସ୍ପିଡ୍‌ ବଢାନ୍ତୁ ନାହିଁ। ଏହାଦ୍ବାରା ଅଧିକ ତେଲ ଖର୍ଚ୍ଚ ହୋଇଥାଏ।

ବାଇକର ଇଞ୍ଜିନ ସର୍ଭିସ ନିଶ୍ଚିତ କରାଇବେ । ଟ୍ରାଫିକରେ ଅଟକିବା ସମୟରେ ବାଇକ ବନ୍ଦ କରି ଦିଅନ୍ତୁ।

 ବାଇକ ଚେନରେ ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ, ଯଦ୍ବାରା ତାହା ସୁରୁଖୁରୁରେ ଚାଲିବ।

କ୍ଲଜକୁ ଜୋରରେ ଦବାନ୍ତୁ ନାହିଁ। ଅଧିକ ସମୟ ଧରି ଲୋ ଗିୟରରେ ଗାଡ଼ି ଚଲାନ୍ତୁ ନାହିଁ। ଇଞ୍ଜିନକୁ ଆଗପଟୁ କଭର୍‌ କରନ୍ତୁ ନାହିଁ।

Spread the love