ମହିଳାମାନଙ୍କ ନିକଟରେ ସବୁ ପ୍ରକାର ଦାୟିତ୍ୱ ସମ୍ଭାଳିବାର ଦକ୍ଷତା ରହିଛି

ଭୁବନେଶ୍ୱର,୧୧/୩:  ଯେକୌଣସି ଦାୟିତ୍ୱକୁ ସମ୍ଭାଳିବାର ଦକ୍ଷତା ଓ ସାମର୍ଥ୍ୟ ମହିଳାମାନଙ୍କର ରହିଛି ଏବଂ ସେମାନେ ଏହାକୁ ସୁଚାରୁ ରୂପେ ସଂପାଦନ କରିପାରିଥାନ୍ତି । ଏଭଳି ମତ ରଖିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ  ରଞ୍ଜନା ଚୋପ୍ରା । ଶିକ୍ଷା ଓ ଅନୁସନ୍ଧା (ସୋଆ) ପକ୍ଷରୁ ମଙ୍ଗଳବାର ଆୟୋଜିତ ଦୁଇ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଂଟ ପ୍ରୋଗ୍ରାମରେ ଏହା ପ୍ରକାଶ କରିଛନ୍ତି ଶ୍ରୀମତି ଚୋପ୍ରା ।

ସେ ନାରୀହେଉ କିମ୍ବା ପୁରୁଷ ସବୁ ମଣିଷଙ୍କ ନିକଟରେ ଆତ୍ମବିଶ୍ୱାସ ରହିବା ନିତାନ୍ତ ଆବଶ୍ୟକ ବୋଲି ଆନ୍ତର୍ଜାତିକ ମହିଳା ଦିବସ ପରିପ୍ରେକ୍ଷୀରେ ଆୟୋଜିତ ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତି ଚୋପ୍ରା ଏହା କହିଛନ୍ତି । ବର୍ତମାନ ସମୟରେ ମହିଳାମାନେ ମଧ୍ୟ ପୁରୁଷ ମାନଙ୍କ ଭଳି ଏକ ସାଂଗରେ ଅନେକ ଗୁଡିଏ କାର୍ଯ୍ୟ ତୁଲାଇବାରେ ସକ୍ଷମ। ତେଣୁ ଲିଙ୍ଗଗତ ବୈଷମ୍ୟତା ରଖି ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରିବା ଉଚିତ୍ ନୁହେଁ ବୋଲି ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ଦାୟିତ୍ୱ ତୁଲାଉଥିବା ଶ୍ରୀମତି ଚୋପ୍ରା କହିଛନ୍ତି । ନିଜର ପାରଦର୍ଶିତା ଦେଖାଇବା ପାଇଁ ସେଭଳି ଦକ୍ଷତା ରଖିବା ସହ କାର୍ଯ୍ୟ କରିବା ମଧ୍ୟ ଆବଶ୍ୟକ ବୋଲି କହିବା ସହ ଉଭୟ ପରିବାର ଓ ସାମାଜିକ ସ୍ତରରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କର ସମାନ ଅବଦାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଯୋଗ ଦେଇ କହିଥିଲେ ଯେ ମହିଳାମାନେ ଜୀବନରେ ଅନେକ ଭୂମିକା ତୁଲାଇଥାନ୍ତି ଏବଂ ପ୍ରାୟ ସବୁ କ୍ଷେତ୍ରରେ ସେମାନେ ସଫଳତା ଅର୍ଜନ କରିଥାନ୍ତି। ହ୍ୟୁମାନିଟିଜ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ  ଦାସ ସନ୍ତୋଷ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ର୍ରଥମ ଦିନରେ ୟୁଏସ୍‌ଏର ମିଚିଗାନ୍ ସ୍ଥିତ ସଗିନ ଭ୍ୟାଲି ଷ୍ଟେଟ୍ ୟୁନିଭର୍ସିଟିର ଇଂରାଜୀ ବିଭାଗର ଆସୋସିଏଟ୍ ପ୍ରଫେସର ନାତାଲିଆ ନୋବ୍‌ଲକ୍ ଯୋଗ ଦେଇ ନିବନ୍ଧ ଗୁଡ଼ିକ କିପରି ଉଚିତ ଜର୍ଣ୍ଣାଲ୍‌ରେ ପ୍ରକାଶ କରି ହେବ ସେ ସମ୍ପର୍କରେ ମତ ରଖିଥିଲେ । ଏହି ଅବସରରେ ଟିଭି ସାମ୍ବାଦିକା ରୁପଶ୍ରୀ ନନ୍ଦ, ରୋଜିସ୍ କିଚେନ୍‌ର ମୁଖ୍ୟ ସରୋଜା ଚୌଧୁରୀ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସମ୍ମାନିତ ଅତିଥି ଭାବେ ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ବେଲାରୁଷର କଲଚରାଲ୍ ଷ୍ଟଡିଜ୍ ଏବଂ ଲିଙ୍ଗ୍ୟୁଷ୍ଟିକ୍‌ସ ବିଭାଗର ମୁଖ୍ୟ ପ୍ରଫେସର ଇନେସା କ୍ରିଷ୍ଟୋପ୍ ଯୋଗ ଦେଇଥିବା ବେଳେ କିନ୍ନର ସମାଜ ପକ୍ଷରୁ ସ୍ୱିଟି ସାହୁ ନିଜ ସମାଜର ଗରୀବ ଏବଂ ଅଭାବୀ ମାନଙ୍କର ଅବସ୍ଥା ସମ୍ପର୍କରେ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଏନ୍‌ଜିଓ ସଖୀ ମାଧ୍ୟମରେ କିଭଳି ଏମାନଙ୍କର ଉନ୍ନତି ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ସୂଚନା ଦେଇଥିଲେ। ରେଡିଓ ଜକି  ରିତୁପର୍ଣ୍ଣା ଏବଂ ଗୃହିଣୀ ଶୁଭଶ୍ରୀ ସମାଜରେ ମହିଳାମାନଙ୍କର ଅବଦାନ ନେଇ ମତ ରଖିଥିଲେ। ସୋଆ ପରିଚାଳିତ ଆଇଟିଇଆର୍ ଅଧିନସ୍ଥ ହ୍ୟୁମାନିଟିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ତଥା କାର୍ଯ୍ୟକ୍ରମର ସଂଯୋଜିକା ଡକ୍ଟର ସ୍ୱଂୟପ୍ରଭା ଶତପଥୀ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ଡକ୍ଟର ଶିବାନୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love