ଆସନ୍ତା କାଲି ସମସ୍ତ ସହରାଂଚଳରେ ସତ୍ୟାଗ୍ରହ କରିବ ବିଜେପି : ଗୋଲକ ମହାପାତ୍ର

ଭୁବନେଶ୍ୱର,ତା.୧୩/୦୩ : ଚିଲିକାର ବିଜେଡି ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦ୍ଦେବ ମଦ ପିଇ ଗାଡି ଚଳାଇ ବିଜେପି କର୍ମୀଙ୍କୁ ମାରିବାକୁ ଉଦ୍ୟମ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଅତୀତରେ ମଧ୍ୟ ଶ୍ରୀ ଜଗଦ୍ଦେବ ବିଜେପି କର୍ମୀଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଛନ୍ତି । ଅଭ୍ୟାସଗତ ବିଶୃଙ୍ଖଳାକାରୀ ତଥା ଦବଙ୍ଗ ବିଧାୟକ ଶ୍ରୀ ଜଗଦ୍ଦେବ କିଛି ଦିନ ତଳେ ବିଜେପି କାର୍ଯ୍ୟକର୍ତାଙ୍କୁ ମାଡ ମାରି ଜେଲ ଯିବା ପରେ ଶାସକ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିବା ଏକ ନାଟକ ଥିଲା । ଅନ୍ୟ ପଟେ ଗତ କାଲି ଅନୁଷ୍ଠିତ ହୋଇଥିବା ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ନିଜ ପରାଜୟକୁ ଗ୍ରହଣ କରିପାରୁନଥିବା ବିଧାୟକ ଶ୍ରୀ ଜଗଦ୍ଦେବଏବଂ ତାଙ୍କ ଦଳ ବିଜେପି କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିବା ସଂପୂର୍ଣ୍ଣ ସତ୍ୟ ଥିଲା ।

ଗତ କାଲିର ଘଟଣାକୁ ନେଇ ଏହା ‘ମିଛ ନିଲମ୍ବନ, ସତ ଆକ୍ରମଣ’ ବୋଲି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ଅମାନବୀୟ ଘଟଣା ଘଟିବାର ୨୪ ଘଂଟା ବିତିଯାଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପାଟି ଖୋଲିନାହାନ୍ତି । ନିର୍ବାଚନ ପରବର୍ତୀ ହିଂସାରେ ଶାସକ ବିଜେଡି ସକ୍ରିୟ ହୋଇ ବର୍ତମାନ ବିଜେପି କାର୍ଯ୍ୟକର୍ତାଙ୍କୁ ଆକ୍ରମଣ କରୁଛି । ଗଣତନ୍ତ୍ରରେ ହିଂସାର ଆଦୈା ସ୍ଥାନ ନାହିଁ । ଶାସକ ବିଜେଡିର ହିଂସାତ୍ମକ ଆଚରଣ ପ୍ରତିବାଦରେ ଆସନ୍ତା କାଲି ବିଜେପି କାର୍ଯ୍ୟକର୍ତାମାନେ ମୁହଁରେ କଳାପଟି ବାନ୍ଧି ରାଜ୍ୟର ସମସ୍ତ ସହରାଂଚଳରେ ଅନୁଷ୍ଠିତ ସତ୍ୟାଗ୍ରହରେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।

ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ, ଗଣମାଧ୍ୟମ ରାଜ୍ୟ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love