ପଶ୍ଚିମବଙ୍ଗରେ ବ୍ୟାପିଲା ହିଂସା, ସ୍ୱତଃ ସଜ୍ଞାନ ନେଲେ କୋଲକାତା ହାଇକୋର୍ଟ

କୋଲକାତା ୨୩।୩: ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁର ହାଟରେ ଉପୁଜିଥିବା ହିଂସା କ୍ରମସଃ ରାଜ୍ୟରେ ବ୍ୟାପିବାକୁ ଲାଗିଛି। ଏବେ ପରିସ୍ଥିତି ଏପରି ହୋଇଛି ଯେ କୋଲକାତା ଉଚ୍ଚ ନ୍ୟାୟାଳୟ ଘଟଣାର ସ୍ୱତଃ ସଜ୍ଞାନ ନେବା ସହ ମୋକଦ୍ଦମା ରୁଜୁ କରିଛନ୍ତି। ଘଟଣାସ୍ଥଳକୁ ଫରେନସିକ୍ ଓ ଏସାଆଇଟି ଟିମ୍‌ ପହଞ୍ଚିଛନ୍ତି। ହିଂସାକାଣ୍ଡକୁ ନେଇ ବିରୋଧୀ ଦଳ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘେରିଥିବା ବେଳେ ଏହାକୁ ସେ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି।

ହିଂସାକୁ ଉଚିତ କୁହାଯାଇପାରିବନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏପରି ଘଟଣା ଦେଶରେ ନୂଆ ନୁହେଁ ଓ ଅତୀତରେ ୟୁପି, ଗୁଜରାଟ, ମଧ୍ୟପ୍ରଦେଶ ଓ ବିହାରରେ ହୋଇଥିବା ମମତା କହିଛନ୍ତି। ରାଜ୍ୟରେ ଆମର ସରକାର ଅଛି ଏଣୁ ରାଜ୍ୟର ଲୋକଙ୍କ ଲାଗି ଆମେ ଚିନ୍ତିତ, କେହି ନିର୍ଯାତିତ ହେଉ ଆମେ ଚାହୁଁନା, ରାମପୁର ହାଟର ଘଟଣା ବାସ୍ତବିତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଏଥିଲାଗି ଭାରାପ୍ରାପ୍ତ ଅଧିକାରୀ ଓ ଏସଡିପିଓଙ୍କୁ ଚାକିରୀରୁ ବରଖାସ୍ତ କରିଦିଆଯାଇଥିବା ମମତା କହିଥିବା ବେଳେ ସେ ଗୁରୁବାର ରାମପୁର ହାଟ ଗସ୍ତରେ ଯିବେ ବୋଲି କହିଛନ୍ତି।

ତେବେ ହିଂସାକୁ ନେଇ ରାଜ୍ୟ ସରକାରଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। କୋଲକାତା ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ବୁଧବାର ଅପରାହ୍ନ ୨ଟା ବେଳେ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ରାମପୁର ନରସଂହାର ମାମଲାର କୋର୍ଟ ସ୍ୱତଃ ସଜ୍ଞାନ ନେଇଏହି ଶୁଣାଣି କରୁଛନ୍ତି। ରାମପୁର ହାଟ ହିଂସାରେ ଏ ପର୍ଯ୍ୟନ୍ତ ମୋଟ ୧୦ ଜଣଙ୍କ ମୃତ୍ୟୁ ହେଲାଣି। ଏଥିରେ ୮ ଜଣଙ୍କୁ ଘର ସହ ଜୀବନ୍ତ ଜଳାଇ ଦିଆଯାଇଛି।

ଉଲ୍ଲେଖଯୋଗ୍ୟଯେ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁର ହାଟରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ସୋମବାର ବିଳମ୍ବିତ ରାତ୍ରିରେ ହିଂସା ଭୀଷଣ ରୂପ ନେଇଥିଲା। ଉତ୍ତେଜିତ ଲୋକେ ୧୦-୧୨ଟି ଘରକୁ ବାହାରପଟୁ ଦ୍ୱାର ବନ୍ଦ କରି ନିଆଁ ଲଗାଇ ଦେଇଥିଲେ। ଏଥିରୁ ଗୋଟିଏ ଘରୁ ୮ ଜଣଙ୍କ ଶବ ଉଦ୍ଧାର କରାଯାଇଛି। ରାମପୁରରେ ଟିଏମସି ଉପ ମୁଖ୍ୟଙ୍କ ହତ୍ୟାର ପ୍ରତିଶୋଧ ଲାଗି ଏହି ଘଟଣାଘଟିଛି। ସେପଟେ ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ) ବୀରଭୂମ ଜିଲ୍ଲୀ ହିଂସାକାଣ୍ଡରେ ନିଜ ଆଡୁ ମୋକଦ୍ଦମା ରୁଜୁ କରିଛନ୍ତି।

ଏନସିଡବ୍ଲୁ ମାମଲାରେ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓ ବୀରଭୂମ ଏସପିଙ୍କୁ ପତ୍ର ଲେଖି ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୨୪ ଘଣ୍ଟା ମଧ୍ୟରେ ମାମଲାରେ ହୋଇଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଦେବାକୁ ମଧ୍ୟ ଏନସିଡବ୍ଲୁ ନିର୍ଦ୍ଦେଶରେ କହିଛନ୍ତି। ବୀରଭୂମ ରାମପୁର ହାଟରେ ସୋମବାର ତୃଣମୂଳ କଂଗ୍ରେସ(ଟିଏମସି) ପଞ୍ଚାୟତ ନେତା ଭାଦୁ ଶେଖଙ୍କ ଉପରକୁ ଅଜ୍ଞାତ ଲୋକେ ବୋମା ମାଡ଼ କରିଥିଲେ। ଶେଖ ଜାତୀୟ ରାଜମାର୍ଗ ୫୦ରେ ଯାଉଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଲୋକେ ଉଦ୍ଧାର କରି ତାଙ୍କୁ ରାମପୁର ହାଟ ମେଡିକାଲକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love