ରାଜ୍ୟର ୧୫ ହଜାର ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍

ଭୁବନେଶ୍ଵର: ରାଜ୍ୟରେ  ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍  ବଦଳରେ ୩୦ ହଜାର ଟଙ୍କାର  ଆର୍ଥିକ ସହାୟତା ମିଳିବ। ଉଚ୍ଚଶିକ୍ଷା ବିଭାଗର ୱେବସାଇଟକୁ ଯାଇ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୦୨୦-୨୧ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଏଇ) ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା-୨୦୨୧, ଧନ୍ଦାମୂଳକ ଶିକ୍ଷା ପରୀକ୍ଷା-୨୦୨୧ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଉପଶାସ୍ତ୍ରୀ ପରୀକ୍ଷା-୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାମାନଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଏହି ସହାୟତା ପ୍ରଦାନ କରାଯିବ । ଏନେଇ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କର ଏକ ଲିଷ୍ଟ ଓ ମାର୍ଗଦର୍ଶିକା ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ www.dhe.odisha.gov.in ଓ www.scholarship.odisha.gov.in ରେ ଉପଲବ୍ଧ ଅଛି । ଛାତ୍ରଛାତ୍ରୀମାନେ www.scholarship.odisha.gov.in ରେ ନିଜର ଆଧାର ନମ୍ବର ଓ ଆଧାର ସଂଯୁକ୍ତ ମୋବାଇଲ ନମ୍ବର ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଏହାପରେ ମାର୍ଗଦର୍ଶିକା ଅନୁଯାୟୀ ନିଜର ସମ୍ପୂର୍ଣ୍ଣ ବିବରଣୀ ଆସନ୍ତା ଏପ୍ରିଲ ୧୦ ତାରିଖ ମଧ୍ୟରେ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love