ଶିକ୍ଷା କ୍ଷେତ୍ରରେ ବଡ଼ ନିଷ୍ପତ୍ତି ନେଲେ ପଞ୍ଜାବ ସରକାର; ଘରୋଇ ସ୍କୁଲ୍‌ରେ ଫି ବୃଦ୍ଧି ଉପରେ କଟକଣା

ଚଣ୍ଡିଗଡ଼: ପଞ୍ଜାବରେ ଆମ୍‌ ଆଦ୍ମୀ ପାର୍ଟି ସରକାର ଗଠନ କରିବା ପରେ ଧଡ଼ା ଧଡ଼ ଗୋଟିଏ ପରେ ଗୋଟିଏ ଫୈସଲା ନେଇ ଚାଲିଛି। ପୂର୍ବରୁ ୬ ମାସ ଭିତରେ ୨୫ ହଜାର ନିଯୁକ୍ତି ଦେବା ନେଇ ଘୋଷଣା କରି ରାଜ୍ୟବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଉ ଆଜି ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ।

ଘରୋଇ ସ୍କୁଲ୍‌ଗୁଡ଼ିକରେ ଫିସ୍‌ ବୃଦ୍ଧି କରିବା ଦିଗରେ କଟକଣା ଲଗାଇଛନ୍ତି। ଅର୍ଥାତ୍ ଘରୋଇ ସ୍କୁଲ୍‌ରେ ଆଡ୍‌ମିଶନ ହେଲେ ଫି ବୃଦ୍ଧି ହୋଇପାରିବ ନାହିଁ। ତା ଛଡ଼ା କୌଣସି ସ୍କୁଲ୍‌ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା ଓ ଦୋକାନ ଠାରୁ ସ୍କୁଲ୍ ୟୁନିଫର୍ମ କିମ୍ବା ବହି କିଣିବାକୁ ବାଧ୍ୟ କରିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅଭିଭାବକ ନିଜ ଈଚ୍ଛା ଅନୁସାରେ ତାଙ୍କୁ ସୁହାଇଲା ଭଳି ସ୍ଥାନରେ ପିଲାମାନଙ୍କ ପାଇଁ ୟୁନିଫର୍ମ ଓ ବହି କିଣିପାରିବେ। ଏନେଇ ରାଜ୍ୟ ସରକାର ଏକ ଯୋଜନା ନେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ପୂର୍ବରୁ ସୋମବାର ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ପରି ରାଜ୍ୟରେ ମଧ୍ୟ ପ୍ରତି ଘରେ ରାସନ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ସୁବିଧା ବିକଳ୍ପ ଭାବରେ ବ୍ୟବହାର କରାଯିବ। ଅଫିସର ମାନେ ଘରେ ରାସନ ପହଞ୍ଚାଇବାକୁ ସରକାରୀ କର୍ମଚାରୀ ପ୍ରଥମେ ଫୋନ୍ କରିବେ। ଏହାପରେ ଘରେ ରାସନ ପହଞ୍ଚାଇ ଦିଆଯିବ ବୋଲି ଶ୍ରୀ ମାନ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ଶ୍ରୀ ମାନ ଗୋଟିଏ ପରେ ବଡ଼ ବଡ଼ ନିଷ୍ପତ୍ତି ନେଇ ଚାଲିଛନ୍ତି। ଶୁକ୍ରବାର ବିଧାୟକଙ୍କ ପେନ୍‌ସନ୍‌ରେ ବଡ଼ ପରିବର୍ତ୍ତନ କରିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏବେ ବିଧାୟକଙ୍କୁ ମାତ୍ର ଗୋଟିଏ ଥର ପାଇଁ ପେନ୍‌ସନ୍ ମିଳିବ। ପୂର୍ବରୁ ଯେତେଥର ବିଧାୟକ ହେଉଥିଲେ ସେମାନଙ୍କ ପେନସନ୍‌ ସେତେଥର ଯୋଡ଼ି ଦିଆଯାଉଥିଲା। ହେଲେ ଏଥର ଥରେ ବିଧାୟକ ହେଲେ ସେହି ଥରୁଟିଏ ପାଇଁ ପେନ୍‌ସନ୍ ମିଳିବ। ତା ସହିତ ପେନ୍‌ସନ୍‌ ରାଶିକୁ କମ୍ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରୁ ଯେଉଁ ଅର୍ଥରାଶି ଯୋଗାଡ଼ ହେବା ସେଥିରେ ଗରିବ କଲ୍ୟାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ହେବା ପରେ ଏହିସବୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଭଗୱନ୍ତ ମାନ

୧. ପ୍ରଥମ ମନ୍ତ୍ରୀ ମଣ୍ଡଳ ବୈଠକରେ ୨୫ ହଜାର ସରକାରୀ ନିଯୁକ୍ତି ଘୋଷଣା।

୨. ସହିଦ ଭଗତ ସିଂହଙ୍କ ମୃତ୍ୟୁ ବାର୍ଷିକି ମାର୍ଚ୍ଚ ୨୩କୁ ପ୍ରତିବର୍ଷ ଛୁଟି ଘୋଷଣା।
୩. ରାଜ୍ୟ ବିଧାନସଭା ସମ୍ମୁଖରେ ଡ. ଭିମରାୱ ଆମ୍ବେଦକର ଓ ଭଗତ ସିଂହଙ୍କ ପ୍ରତିମା ସ୍ଥାପନା କରିବାକୁ ନିଷ୍ପତ୍ତି।

୪. ରାଜ୍ୟରେ ୩୫ ହଜାର ଠିକା କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି।
୫. ସରକାରୀ କର୍ମଚାରୀ ଲାଞ୍ଚ ନେଲେ ହେଲ୍‌ପ ଲାଇନ୍ ନମ୍ବର ୯୫୦୧୨୦୦୨୦୦ ଜାରୀ।

Spread the love