ନଳ ବଣରେ ଲାଗିଛି ନିଆଁ

ଚିଲିକା: ଚିଲିକାର ନଳ ବଣରେ ଲାଗିଛି ନିଆଁ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା କାଳୁପଡ଼ା ଘାଟ ଜେଟି ନିକଟରେ ହୁତୁହୁତୁ ହୋଇ ଜଳୁଛି ନିଆଁ । ନିଆଁର ତୀବ୍ରତା ଏତେ ଅଧିକ ହୋଇଛି ଯେ କୂଳକୁ ନାଉରିଆ ଡଙ୍ଗା ନେଇ ଆସିବାରେ ମଧ୍ୟ ଅସୁବିଧା ହେଉଛି । ଚିଲିକାରେ ଥିବା ନଳ ଘାସ ସବୁ ଖରା ଦିନେ ଶୁଖି ଯାଇଥିବାରୁ କୌଣସି ଦୁବୃର୍ତ୍ତ ନିଆଁ ଲଗାଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଏକର ଏକର ଅଞ୍ଚଳକୁ ବ୍ୟାପୁଛି ନିଆଁ । ନିଆଁ ବ୍ୟାପିବା ଫଳରେ ଚିଲିକାର ନଳ ଘାସ ଜଙ୍ଗଲରେ ରହୁଥିବା ବିରଳ ପ୍ରଜାତିର ପ୍ରାଣୀ ଫିସିଙ୍ଗ୍ କ୍ୟାଟ ପ୍ରତି ଦେଖା ଦେଇଛି ବିପଦ ।ଏ ପର୍ଯ୍ୟନ୍ତ ଚିଲିକା ଡେଭଲପମେଣ୍ଟ ଅଥୋରିଟି (CDA)ର କୌଣସି ଅଧୀକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ନିଆଁ ଲିଭାଇବା ପାଇଁ କୌଣସି ପ୍ରୟାସ କରାଯାଉନାହିଁ । ତେଣୁ ଚିଲିକାରେ ଥିବା ବିରଳ ପ୍ରାଣୀ ଫିସିଙ୍ଗ କ୍ୟାଟ୍ ଜୀବନ ପ୍ରତି ବିପଦ ଦେଖା ଦେଇଛି ।

ସୂଚନା ଯୋଗ୍ୟ ଗତକାଲି  ଏସିଆର ଦ୍ୱିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳରେ ଲାଗିଛି ନିଆଁ । ଶିମିଳିପାଳ ଅଭୟାରଣ୍ୟରେ ଚଳିତ ବର୍ଷ ପ୍ରଥମ ନିଆଁ ଲାଗିବା  ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟର ଗୁରୁଗୁଡ଼ିଆ, ତାଳବନ୍ଧ ଓ ଚହଲା ରେଞ୍ଜର ୭ଟି ସ୍ଥାନରେ ନିଆଁ ଲାଗିଛି । ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ଜାଗାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ ଟିମ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ପୂର୍ବରୁ ବିଭିନ୍ନ ସମୟରେ ୬୦୦ ଟି ସଚେତନତା ରାଲି ଏବଂ ୧୦୦ରୁ ଉର୍ଦ୍ଧ୍ୱ ମିଳିତ ମକଡ୍ରିଲ କରିଥିଲା ବନବିଭାଗ ।

Spread the love