ଛାତ୍ର ସଂସଦ ନିର୍ବାଚନ ବନ୍ଦ

ଏ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ। ଛାତ୍ରଛାତ୍ରୀ ସିଧାସଳଖ ସେମାନଙ୍କ ନେତା ବାଛି‌ବେ ନାହିଁ। ବରଂ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛାଯିବେ। ଗତକାଲି ଡିଗ୍ରି କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ନିର୍ବାଚନ ବନ୍ଦ ଲାଗି ଅଧିକାଂଶ ଅଧ୍ୟକ୍ଷ ମତ ଦେବା ପରେ ଆଜି ଏଭଳି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ବିଭାଗୀୟ ଶାସନ ସଚିବ ଶାଶ୍ବତ ମିଶ୍ର ଆଜି ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି, ସରକାରୀ ଡିଗ୍ରି କଲେଜ, ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକୁ ଚିଠି ଲେଖି ଏହା ଜଣାଇଛନ୍ତି । ଲେଖିଛନ୍ତି, ଛାତ୍ରଛାତ୍ରୀଙ୍କ ସ୍ବାର୍ଥକୁ ନଜରରେ ରଖି ଚଳିତବର୍ଷ ନିର୍ବାଚନ ନ କରିବାକୁ ସ୍ଥିର ହୋଇଛି। ଉଚ୍ଚଶିକ୍ଷା ବିଭାଗର ପ୍ରଶାସନିକ ଅଧିକାର ବଳରେ ଏଭଳି ନିଷ୍ପତ୍ତି ହୋଇଛି। ତେବେ ବିଶ୍ବବିଦ୍ୟାଳୟ ଓ କଲେଜର ଆବଶ୍ୟକତା ଅନୁଯାୟୀ ଏକ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଛାତ୍ର ପ୍ରତିନିଧି ବଛା ଯାଇପାରିବେ। ଏ ନେଇ ପରବର୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ତେବେ ବିକଳ୍ପ ବାଟ କ’ଣ? ସେ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। କେଉଁଭଳି ଭାବେ ଛାତ୍ର ପ୍ରତିନିଧି ବଛାଯିବେ? କେଉଁମାନେ ଛାତ୍ର ପ୍ରତିନିଧି ହେବେ? ସେମାନଙ୍କ ଯୋଗ୍ୟତା‌ କ’ଣ ରହିବ? ଏହାଦ୍ବାରା କ୍ୟାମ୍ପସରେ ଛାତ୍ର ଅଶାନ୍ତି ବଢ଼ିବନି ତ? ନିଜ ନିଜ ସମର୍ଥକଙ୍କୁ ପଦରେ ବସାଇବା ଲାଗି ସଙ୍ଗଠନଗୁଡ଼ିକ ମଧ୍ୟରେ ଟଣାଓଟରା ଲାଗିବନି ତ? ଏଭଳି ଅନେକ ପ୍ରଶ୍ନ ଉଠିଛି।

Spread the love