ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ସାରା ଭାରତରେ ପାଳନ ହେଉଛି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଯିଏ କି ବିଷ୍ଣୁଙ୍କ ଅବତାର । କଂସଦ୍ୱାରା ବନ୍ଦୀ ହୋଇଥିବା ଭଉଣୀ ଦେବକୀ ଓ ବାସୁଦେବଙ୍କ ଠାରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବ ମହା ସମାରୋହରେ ପାଳନ କରାଯାଏ । ଏହିଦିନ ଲୋକେ ଉପବାସ ରଖିଥାନ୍ତି, ଓ ରାତ୍ରି ୧୨ ଘଟିକାକୁ କୃଷ୍ଣଜନ୍ମ ଉତ୍ସବ ପାଳନ କରିସାରି ଉପବାସ ଭାଙ୍ଗିଥାନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଜନ୍ମାଷ୍ଟମୀ ନୀତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ସ୍ୱତନ୍ତ୍ର ନୀତିକାନ୍ତି ହେବ । ସଂଧ୍ୟା ଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହେବ । ଏଥିଲାଗି ସଂଧ୍ୟା ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ରାତି ୧୧ଟା ପରେ ମହାପ୍ରଭୁ ପୁନର୍ବାର ଭକ୍ତଙ୍କୁ ଦର୍ଶନ ଦେବେ ।

ସେପଟେ ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ । କୃଷ୍ଣଙ୍କର କ୍ରୀଡ଼ାଭୂମୀ ଗୋକୁଳ ଓ ବୃନ୍ଦାବନରେ ଅସଂଖ୍ୟ ଜନଗହଳି ହୋଇଥାଏ ଓ ଏଠାରେ ଏହି ଉତ୍ସବ ପ୍ରାୟ ସାତଦିନବ୍ୟାପି ପାଳିତ ହୋଇଥାଏ। କୁହାଯାଏ । ଗୁଜରାଟର ଦ୍ୱାରକାରେ ଥିବା ଦ୍ୱାରିକାଧିଶ ମନ୍ଦିରରେ ମଧ୍ୟ ଏହି ଉତ୍ସବ ବହୁତ ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହାଛଡ଼ା ପଶ୍ଚିମ ବଙ୍ଗରେ ଶ୍ରୀଚୈତନ୍ୟ ଓ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରେ ମଧ୍ୟ ଜନ୍ମାଷ୍ଟମୀ ହର୍ଷୋଲ୍ଲାସରେ ପାଳିତ ହୋଇଥାଏ । ଲୋକେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଜନ୍ମ ଓ ଲୀଳା ବର୍ଣ୍ଣନାରେ ସମୃଦ୍ଧ ଶ୍ରୀମଦ୍ଭାଗବତର ଦଶମ ସ୍କନ୍ଧ ପଢ଼ିଥାନ୍ତି । ଜାମ୍ମୁଠାରେ ଏହିଦିନ ଗୁଡ଼ି ଉଡ଼ାଇବାର ପ୍ରଥା ରହିଛି ।

Spread the love