‘ରାଜ୍ୟସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି’

ଚଳିତବର୍ଷ ରାଜ୍ୟସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ । ଏକଛତ୍ରବାଦୀ ମନୋବୃତି ନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଏଭଳି ମନମୁଖୀ କାର୍ଯ୍ୟକଳାପକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଯେଉଁଠି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ପ୍ରଥମ ଅନୁଭବ ନିଅନ୍ତି ସେହିଭଳି ଯାଗାରେ ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଜାଣିଶୁଣି ବାତିଲ କରି ଯୁବ ନେତୃତ୍ୱକୁ ଏବଂ ଛାତ୍ର ନେତୃତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାର ଅପଚେଷ୍ଠା କରୁଛନ୍ତି । ଖୋଦ୍ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ କ୍ୟାରିୟରକୁ ଓହ୍ଲାଇଛନ୍ତି । ଭାରତୀୟ ସମ୍ବିଧାନରେ ଯୁବକମାନଙ୍କୁ ଭୋଟ୍ ଦେବାର ଅଧିକାର ରହିଛି । ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତିକୁ ସାରା ଛାତ୍ର ଓ ଯୁବ ସମାଜ ନିନ୍ଦା କରିବା ସହ ଦୃଢ ବିରୋଧ କରୁଛି । ଶିକ୍ଷାର ବିକାଶରେ ବାଧକ ସାଜିଥିବା ସରକାର ବିରୁଦ୍ଧରେ ଏବଂ ବିଭିନ୍ନ ସମସ୍ୟା ବିରୁଦ୍ଧରେ ଛାତ୍ରଛାତ୍ରୀ ଏବଂ ଯୁବକମାନେ ବହୁ ସମୟରେ ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ ନିଜର ବକ୍ତବ୍ୟ ରଖୁଛନ୍ତି । ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏବେ ସମସ୍ୟା ଘେରରେ । ଏହି ସମସ୍ୟା ଗୁଡିକୁ ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଛାତ୍ରମାନେ ଉପସ୍ଥାପନ କରନ୍ତି । କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର କର୍ତବ୍ୟ ଓ ଦାୟୀତ୍ୱବୋଧକୁ ସଙ୍କୁଚିତ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଯଦି ରାଜ୍ୟସରକାର ତାଙ୍କ ନିଷ୍ପତିକୁ ପ୍ରତ୍ୟାହାର ନକରନ୍ତି ଆଗାମୀ ଦିନରେ ଛାତ୍ରସମାଜର ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା ଓ ସଂପାଦକ ଦୀପକ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love