ଉତ୍ତପ୍ତ ସହର ପାଲଟିଲା ସୁବର୍ଣ୍ଣପୁର

ଭୁବନେଶ୍ବର : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଦ୍ବାରା ପଶ୍ଚିମ ଓଡ଼ିଶାର ସମସ୍ତ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବାବେଳେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କଲାଣି। ୪୩.୫ ଡିଗ୍ରୀ ସହ ସୁବର୍ଣ୍ଣପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ।ପାଣିପାଗ ବିଭାଗର ଆକଳନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ଗଜପତି, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ଝଡବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ହଦଳିଆ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ କେତେକ ଅଞ୍ଚଳରେ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ।ଗତକାଲି ତାପମାତ୍ରା ଅନୁଗୋଳରେ ୪୨.୭, ବାରିପଦା ୪୧.୮, ଝାରସୁଗୁଡ଼ା ୪୨.୬, କେନ୍ଦୁଝର ୪୦.୧, ସମ୍ବଲପୁର ୪୨.୨, ସୁନ୍ଦରଗଡ଼ ୪୨.୫, ହୀରାକୁଦରେ ୪୦.୩, ତାଳଚେର ୪୦.୪, ଭବାନୀପାଟଣା ୪୧.୨, ବଲାଙ୍ଗିର ୪୩, ଟିଟିଲାଗଡ଼ ୪୧.୫, ନୟାଗଡ଼ ୪୦, ବୌଦ୍ଧ ୪୨.୫ ଓ ପାରଳାଖେମୁଣ୍ଡି ୪୧.୫ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ୱର ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ପାରଦ ଛୁଇଁଛି।

Spread the love