ମୁଢ଼ି ବୋଝେଇ ଟ୍ରକ୍‌ରୁ ଜବତ ହେଲା ୬୦ ଲକ୍ଷ ଟଙ୍କାର ଗଞ୍ଜେଇ

ଜୟପୁର, ୧୮/୦୪: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ । ପୋଲିସକୁ ଚକମା ଦେବାକୁ ମୁଢି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ କରୁଥିଲେ ମାଫିଆ । ତେବେ ଜୟପୁର ଟାଉନ ପୋଲିସର ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ପୋଲିସକୁ ଦେଖି ଦୁର୍ବୃତ୍ତମାନେ ଖସିଯାଇ ଥିବା ବେଳେ ସେମାନେ ଘଟଣା ସ୍ଥଳରେ ଗଞ୍ଜେଇ ବୋଝେଇ ଟ୍ରକ ଛାଡି ଚାଲିଯାଇଥିଲେ। ଏଥିରୁ ୫୭୮ କିଲୋ ଗଞ୍ଜେଇ ସହ ବିପୁଳ ପରିମାଣର ମୁଢି ଜବତ କରିଛି ପୋଲିସ।

ଜୟପୁର ଏସଡିପିଓଙ୍କ ସୂଚନା ଅନୁସାରେ ଏହି ଟ୍ରକଟିରେ ଡ୍ରାଇଭର ଓ ହେଲପର ଥିଲେ । ଏମାନେ ସ୍ଥାନୀୟ ହାଟପଦା ଦେଇ ଗାନ୍ଧୀଛକ ପଟକୁ ଆସୁଥିଲେ । ତେବେ ଗତକାଲି ରାତିରେ ପୋଲିସ ପେଟ୍ରୋଲିଂ ଟିମକୁ ଦେଖି ଗଂଜେଇ ମାଫିଆମାନେ ଟ୍ରକ ଛାଡି ଦୌଡ଼ି ପଳାଇଥିଲେ । ଟ୍ରକଟିର ରେଜିଷ୍ଟ୍ରେସନ ନମ୍ବର ଉତ୍ତର ପ୍ରଦେଶର ହୋଇଥିବାରୁ ଏମାନେ କୋରାପୁଟ କିମ୍ବା ମାଲକାନଗିରି ଜିଲ୍ଲାରୁ ଗଂଜେଇ ନେଇ ଉତ୍ତର ପ୍ରଦେଶ ଯାଉଥିବା ପୋଲିସ ଅନୁମାନ କରୁଛି । ଜବତ ଗଂଜେଇର ଆନୁମାନିକ ବଜାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଏସଡିପିଓ କହିଛନ୍ତି ।

Spread the love