କିପରି ରହିବ ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା ?

ଅଯୋଧ୍ୟା : ଦ୍ରୁତ ଗତିରେ ଆଗେଇ ଚାଲିଛି ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ମନ୍ଦିରର ପ୍ଲିନ୍ଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିକଟରେ ମନ୍ଦିର କମିଟିର ସଭାପତି ନୃପେନ୍ଦ୍ର ମିଶ୍ର ମନ୍ଦିର ନିର୍ମାଣ କାମର ସମୀକ୍ଷା କରିବା ସହ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ସମୀକ୍ଷା ବୈଠକ ଅବସରରେ ତାଙ୍କୁ ମନ୍ଦିରର ସୁରକ୍ଷା ଯୋଜନା ସଂପର୍କରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଥିଲା । ମନ୍ଦିର ସୁରକ୍ଷା ପାଇଁ ଅତ୍ୟାଧୁନିକ ଟେକନଲୋଜୀର ସର୍ବାଧିକ ଉପଯୋଗ କରାଯିବ ଅର୍ଥାତ ସୁରକ୍ଷା ଦାୟିତ୍ବରେ କମ୍ ସଂଖ୍ୟକ ସୁରକ୍ଷାକର୍ମୀ ରହିବେ ଓ ଅଧିକାଂଶ ସୁରକ୍ଷା ଅତ୍ୟାଧୁନିକ ଟେକନଲୋଜୀର ଉପଯୋଗ କରାଯିବ ।କେବଳ ମନ୍ଦିର ନୁହେଁ, ସମଗ୍ର ଅଯୋଧ୍ୟା ନଗରୀକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ନଗରୀର ବିଭିନ୍ନ ସ୍ଥାନରେ ଓ୍ବାଚ୍ ଟାଓ୍ବାର ସ୍ଥାପନ କରି ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯିବ । ସେମାନେ ଯାତ୍ରୀମାନଙ୍କ ଉପରେ ନଜର ରଖିବେ । ଏହାଛଡ଼ା ସମଗ୍ର ମନ୍ଦିର ଓ ନଗରୀକୁ ସିସିଟିଭି ପ୍ରହରା ମଧ୍ୟରେ ରଖାଯିବ ।ଅନ୍ୟପକ୍ଷରେ ମୁଖ୍ୟ ମନ୍ଦିରର ଗର୍ଭଗୃହକୁ ସୁରକ୍ଷିତ ରଖିବାକୁ ଏହାର କାନ୍ଥକୁ ୧୨ ମିଟର ଗଭୀରତାରୁ ନିର୍ମାଣ କରାଯିବ ଓ ଉପରକୁ ଏହା ୧୧ ମିଟର ରହିବ । ମନ୍ଦିର ନିର୍ମାଣ ସ୍ଥାନ ତଳେ ସରଜୁ ନଦୀର ଏକ ଧାରା ପ୍ରଭାହିତ ହେଉଥିବାରୁ ତାହାର ପ୍ରଭାବ ମନ୍ଦିର ଉପରେ ପଡ଼ିବାର ସମ୍ଭାବନା ରହିଛି । ଭବିଷ୍ୟତରେ ଯଦି ନଦୀର ଗତିପଥ ପରିବର୍ତ୍ତନ ହୁଏ, ତାହା ଯେପରି ମନ୍ଦିରର ସୁରକ୍ଷାକୁ ବିପନ୍ନ ନ କରେ ସେଥିପାଇଁ ଇଂଜିନିୟରମାନେ ସ୍ବତନ୍ତ୍ର ଦୃଷ୍ଟି ଦେଉଛନ୍ତି ।

Spread the love