ଦେଶରେ ପର୍ଯ୍ୟାପ୍ତ କୋଇଲା ଅଛି: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ:  ଖଣିଗୁଡିକରେ କୋଇଲା ଉତ୍ତୋଳନ ପରେ ୭୨.୫୦ ନିୟୁତ ଟନ୍‍ କୋଇଲା ଥିବାବେଳେ ତାପଜ ଶକ୍ତିକେନ୍ଦ୍ରଗୁଡିକରେ ପ୍ରାୟ ୨୨ ନିୟୁତ ଟନ୍‍ ମହଜୁଦ ରହିଛି। ଯେତିକି କୋଇଲା ମହଜୁଦ ରହିଛି ତାହା ପ୍ରାୟ ଏକ ମାସ ଆବଶ୍ୟକତା ପୂରଣ କରିବ ଏବଂ ପ୍ରତିଦିନ ରେକର୍ଡ ଉତ୍ପାଦନ ସହିତ ମହଜୁଦ ପରିମାଣ ବୃଦ୍ଧିପାଉଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।ସେ କହିଛନ୍ତି ଯେ ସମ୍ପ୍ରତି କୋଲ ଇଣ୍ଡିଆ ଲିମିଟେ. ସିଙ୍ଗାରେଣି କୋଲିୟାରୀ କମ୍ପାନୀ ଲିମିଟେଡର ବିଭିନ୍ନ ଖଣିରୁ ଉତ୍ପାଦନ ପରେ ମହଜୁଦ ସ୍ଥଳ ଏବଂ କୋଲ ୱାଶେରୀଗୁଡିକରେ ୭୨.୫୦ ନିୟୁତ ଟନ୍‍ କୋଇଲା ଗଚ୍ଛିତ ଅଛି। ସରକାରଙ୍କର ପ୍ରାଥମିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ୭୭୭.୨୩ ନିୟୁତ ଟନ୍‍ କୋଇଲା ଉତ୍ତୋଳନ କରାଯାଇଛି, ଯାହା ୨୦୨୦-୨୧ ବର୍ଷରେ ୭୧୬ ନିୟୁତ ଟନ୍‍ ଥିଲା। ଗତବର୍ଷ କୋଇଲା ଉତ୍ତୋଳନରେ ୮.୫୫% ବୃଦ୍ଧିଘଟିଛି।କୋଲ୍‍ ଇଣ୍ଡିଆ ଲିମିଟେଡର ଉତ୍ତୋଳନ ୨୦୨୦-୨୧ ବର୍ଷରେ ୫୯୬.୨୪ ନିୟୁତ ଟନ୍‍ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୪.୪୩% ବୃଦ୍ଧିପାଇ ୬୨୨.୬୪ ନିୟୁତ ଟନ୍‍ ହୋଇଥିଲା। ସେହିଭଳି ସିଙ୍ଗାରେଣି କୋଲିୟାରର ଉତ୍ତୋଳନ ୨୦୨୦-୨୧ରେ ୫୦.୫୮ ନିୟୁତ ଟନ୍‍ ଥିବାବେଳେ ୨୦୨୧-୨୨ରେ ତାହା ୨୮.୫୫% ବୃଦ୍ଧିପାଇ ୬୫.୦୨ ନିୟୁତ ଟନ୍‍ ହୋଇଥିଲା। ସେହି ସମୟରେ ବିଭିନ୍ନ କମ୍ପାନୀର ନିଜସ୍ୱ ଖଣିରୁ ଉତ୍ତୋଳନ ୮୯.୫୭ ନିୟୁତ ଟନ୍‍କୁ ବୃଦ୍ଧିପାଇଛି, ଯାହା ୨୦୨୦-୨୧ରେ ୬୯.୧୮ ନିୟୁତ ଟନ୍‍ ରହିଥିଲା। ସେହିଭଳି ୨୦୨୧-୨୨ରେ କୋଇଲା ପରିବହନ ୧୮.୪୩% ବୃଦ୍ଧିପାଇ ୮୧୮.୦୪ ନିୟୁତ ଟନ୍‍ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ୬୯୦.୭୧ ନିୟୁତ ଟନ୍‍ କୋଇଲା ପରିବହନ ହୋଇଥିଲା

Spread the love