ଅଭିଯୁକ୍ତକୁ କଠୋର ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ :ବିଜେପି

ଅଗଷ୍ଟ ୧୭ ତାରିଖରେ ଟାଙ୍ଗୀ ଥାନା ଅନ୍ତର୍ଗତ ଜରିପଡା ପଂଚାୟତ ପାଣିଦୁଆର ଗ୍ରାମରେ ଏକ ଦିବ୍ୟାଙ୍ଗ ନାବାଳିକାକୁ ସେହି ଗ୍ରାମର ଏକ ବିଜେଡି ନେତା ଦୁର୍ଷ୍କମ କରିଥିବା ବେଳେ ପୋଲିସ ୧୨ ଦିନ ଧରି ଅପରାଧୀକୁ ଗିରଫ ନକରି ସୁରକ୍ଷା ଦେଇ ଚାଲିଥିଲା । ବିଜେପିର ଏକ ପ୍ରତିନିଧୀ ଦଳ ପୀଡିତା ପରିବାରକୁ ଭେଟି ଟାଙ୍ଗୀ ଥାନା ଅଧିକାରୀଙ୍କୁ ଏ ଘଟଣା ସଂପର୍କରେ ପଚରାଉଚରା କରିଥିଲା । ବିଜେପି ଚାପରେ ଟାଙ୍ଗୀ ପୋଲିସ ଅପରାଧୀକୁ ଗିରଫ କରିଛି । କିନ୍ତୁ ଅପରାଧୀ ଭିକାରୀ ବେହେରା ବିଜୁ ଜନତା ଦଳର ନେତା ହୋଇଥିବାରୁ ଶାସକ ଦଳର ଚାପରେ ଦଫା କମ ଲଗାଇ ଗଳାବାଟ ଦ୍ୱାରା ତାକୁ ଖସାଇ ଦିଆଯିବାର ଅନେକ ସମ୍ଭାବନା ରହିଛି ।  ଏଣୁ ତୁରନ୍ତ ଟାଙ୍ଗୀ ପୋଲିସ କୌଣସି ଚାପର ବଶବର୍ତୀ ନହୋଇ ଏଭଳି ଦିବ୍ୟାଙ୍ଗ ନାବାଳିକା ସହ ଦୁର୍ଷ୍କମ କରିଥିବା ଅପରାଧୀକୁ ପୋକସୋ ଆକ୍ଟ ଲଗାଇବା ସହ ଅଭିଯୁକ୍ତକୁ କଠୋର ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି । ଡ.ସାମନ୍ତସିଂହାର କହିଛନ୍ତି ଯେ, ଶାସକ ଦଳ ଚାପରେ ରାଜ୍ୟରେ ହଜାର ହଜାର ଅପରାଧୀ ଖସି ଯାଉଛନ୍ତି । ଶାସକ ଦଳର ନେତା ଓ  କର୍ମୀମାନେ ଅନେକ ଦୁର୍ଷ୍କମ ଘଟଣାରେ ସାମିଲ ଥିଲେ ବି ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତେ ସୁରକ୍ଷା ଦେଇଚାଲିଛି । ପ୍ରତିଦିନ ଗଣଦୁର୍ଷ୍କମ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ଖୋଦ୍ ଗୃହବିଭାଗର ମୁଖ୍ୟମନ୍ତ୍ରୀ ଏଠି ନୀରବଦ୍ରଷ୍ଟା ସାଜିଛନ୍ତି । ରାଜ୍ୟରେ ଶହ ଶହ ନାବାଳିକା ଦୁର୍ଷ୍କମର ଶିକାର ହୋଇ ନ୍ୟାୟ ନପାଇ ଆତ୍ମହତ୍ୟାକୁ ଆପଣାଉଛନ୍ତି । ଏହା ସତ୍ୱେ ବି ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟସରକାର କଠୋର ଆଇନ ଆଣିବାରେ ପଛଘୁଂଚା ଦେଉଛନ୍ତି । ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ୧୬ ହଜାର ୫୯୧ଟି ବଳାତ୍କାର ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଏ ପର୍ଯ୍ୟନ୍ତ ୧୦ ପ୍ରତିଶତରୁ କମ୍ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି କି, ଗୃହ ବିଭାଗ ଓ ପୋଲିସ ପ୍ରଶାସନ ଦୁର୍ଷ୍କମ ଅପରାଧୀଙ୍କୁ ଧରିବାରେ ବିଫଳ ହେଉଛି । ଶାସକ ଦଳର ପୃଷ୍ଠ ପୋଷକତାରେ ରାଜ୍ୟରେ ଅପରାଧୀମାନେ ଖୁଲମଖୁଲା ଅପରାଧ ଘଟାଇ ଚାଲିଛନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

Spread the love