ଇମ୍ପାକ୍ଟ ରାଙ୍କିଙ୍ଗ ୨୦୨୨ଅସମାନତା ହ୍ରାସ କ୍ଷେତ୍ରରେ କିଟ୍ ବିଶ୍ୱରେ ୮ମ
ଭୁବନେଶ୍ୱର,୩୦।୪: ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ୮ମ ସ୍ଥାନରେ ରହିଛି। ନିକଟରେ ପ୍ରକାଶ ପାଇଥିବା ଟାଇମ୍ସ ହାଇଅର ଏଜୁକେସନ୍ର ଇମ୍ପାକ୍ଟ ରାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟକୁ ଏହି ରାଙ୍କ ପ୍ରଦାନ କରାଯାଇଛି। ପ୍ରତିବର୍ଷ ‘ଟାଇମ୍ସ ହାଇଅର ଏଜୁକେସନ୍’ ବିଶ୍ୱବିଦ୍ୟାଳୟ ରାଙ୍କ ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ କରିଥାନ୍ତି। ସେଥିମଧ୍ୟରୁ ଅନ୍ୟତମ ପ୍ରମୁଖ ହେଉଛି ଇମ୍ପାକଟ ରାଙ୍କିଙ୍ଗ। ଏଥିରେ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ କାର୍ଯ୍ୟକାରୀ କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଯୋଗଦାନର ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି। ଗବେଷଣା, ପରିଚାଳନା, ଆଉଟରିଚ୍ ଏବଂ ଗୁଣାତ୍ମକ ଶିକ୍ଷାଦାନ ଆଦି ମାପଦଣ୍ଡ ଆଧାରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ କେତେ ଯୋଗଦାନ ରହିଛି ତାହା ମୂଲ୍ୟାୟନ କରାଯାଇ ରାଙ୍କିଙ୍ଗ ପ୍ରଦାନ କରାଯାଇଛି। ଚଳିତବର୍ଷ ଏହି ରାଙ୍କିଙ୍ଗରେ ଅସମାନତା ହ୍ରାସ କରିବା ପ୍ରଭାବ କ୍ଷେତ୍ରରେ ସମଗ୍ର ବିଶ୍ୱରେ କିଟ୍ ବିଶ୍ୱବିଦ୍ୟାଳୟ ୮ମ ସ୍ଥାନରେ ରହିଥିବା ବେଳେ ଜାତିସଂଘର ଅନ୍ୟାନ୍ୟ ବିକାଶ ଲକ୍ଷ୍ୟ ଯଥା ଗୁଣାତ୍ମକ ଶିକ୍ଷା, ଶାନ୍ତି, ନ୍ୟାୟ ଓ ପାର୍ଟନରସିପ ଆଦି କ୍ଷେତ୍ରରେ କିଟ୍ ୧୦୧+ ମଧ୍ୟରେ ରହିଛି। ସାମଗ୍ରିକ ଭାବେ ବିଶ୍ୱର ୧୦୬ଟି ଦେଶର ୧୫ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ବିଶ୍ୱବିଦ୍ୟାଳୟ ୨୦୧+ ସ୍ଥାନରେ ରହିଛି। ଏହି ତାଲିକାରେ ହାତଗଣତି ଭାରତୀୟ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଥିବା ବେଳେ କିଟ୍ ଭାରତରେ ୮ମ ସ୍ଥାନରେ ରହିଛି। କିଟ୍ର ଏହି ସଫଳତାରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି, କିଟ୍ ଶିକ୍ଷାଦାନ ଓ ଗବେଷଣା ସହ ଦୀର୍ଘ ୨୫ବର୍ଷହେଲା ସମାଜଭିତ୍ତିକ ଅନେକ କାର୍ଯ୍ୟ କରିଆସୁଛି; ଯାହାର ପରିଣାମ ସ୍ୱରୂପ ଅସମାନତା ଦୂର କରିବାରେ କିଟ୍କୁ ୮ମ ସ୍ଥାନ ମିଳିଛି । ଏକ ସାମାଜିକ ଦାୟିତ୍ୱବୋଧ ଭିତ୍ତିକ ବିଶ୍ୱବିଦ୍ୟାଳୟ ଭାବେ ଆରମ୍ଭରୁ ଶିକ୍ଷା ମାଧ୍ୟମରେ ସମାଜରୁ ଦାରିଦ୍ର୍ୟ ଦୂର କରିବା, ମହିଳା ସଶକ୍ତିକରଣ, ଗ୍ରାମ୍ୟ ବିକାଶ, ଜନଜାତିଙ୍କ ଉତ୍ଥାନ, କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ କିଟ୍ କାର୍ଯ୍ୟ କରିଆସୁଛି। ଏହି ସଫଳତା ପାଇଁ ଶ୍ରୀ ସାମନ୍ତ କିଟ୍ କୁଳାଧିପତି ପ୍ରଫେସର ବେଦ ପ୍ରକାଶ, କୁଳପତି ପ୍ରଫେସର ସସ୍ମିତା ସାମନ୍ତଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅପରପକ୍ଷରେ ଅସମାନତା ଦୂର କରିବାରେ କିଟ୍ ବାସ୍ତବରେ ବ୍ୟାପକ କାମ କରିଆସୁଛି ବୋଲି କିଟରେ ଅଧ୍ୟୟନରତ ଛାତ୍ରଛାତ୍ରୀ, ଅଧ୍ୟାପନା କରୁଥିବା ଅଧ୍ୟାପକ ଅଧ୍ୟାପିକାମାନେ ଓ କର୍ମଚାରୀମାନେ ମତ ପ୍ରକାଶ କରିଛନ୍ତି ।