ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ : ଆଧାର’ ନମ୍ବରକୁ ଲିଙ୍କ୍

 ଆରମ୍ଭ ହେବାକୁ ଥିବା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ‘ଆଧାର’ ନମ୍ବରକୁ ଲିଙ୍କ୍ କରାଯିବ। ଟେକ୍ନୋଲୋଜି ଉପଯୋଗ କରି ସଭ୍ୟ ସଂଗ୍ରହ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ଏହି ନିଷ୍ପତ୍ତି ହୋଇଛି। ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ପକ୍ଷରୁ ରୂପରେଖ ପ୍ରସ୍ତୁତ ହୋଇଛି। ଆଜି ଇଡକଲ୍‌ ଅଡିଟୋରିୟମରେ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏହା ଉପରେ ବିଚାର ବିମର୍ଶ ହୋଇଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସାଧାରଣ ଲୋକଙ୍କ ନିକଟବର୍ତ୍ତୀ ହେବା ପାଇଁ ଦଳର କର୍ମୀ ଓ ନେତାମାନେ ‘ଫାଇଭ-ଟି’ ମନ୍ତ୍ରକୁ ଅନୁସରଣ କରିବାକୁ ଆହ୍ୱାନ ଦେଇଛନ୍ତି। ବିଜେଡିର କର୍ମୀ ଓ ନେତାମାନେ କଥା ଓ କାମରେ ସମାନତା ରଖନ୍ତୁ ବୋଲି ନବୀନ ପରାମର୍ଶ ଦେଇଛନ୍ତି। 

ଆଜିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନକୁ ନେଇ ପ୍ରସ୍ତୁତ ହୋଇଥିବା ରୋଡ୍‌ମ୍ୟାପ୍‌ ସମ୍ପର୍କରେ ସାଂସଦ ଅମର ପଟ୍ଟନାୟକ ଦଳୀୟ ନେତାମାନଙ୍କୁ ସୂଚନା ଦେଇଥିଲେ। ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ପ୍ରତି ୱାର୍ଡରେ ୪ଜଣ, ଏନଏସିରେ ୫ଜଣ ଓ ମ୍ୟୁନିସପାଲଟିରେ ୧୫ଜଣ, ମହାନଗର ନିଗମରେ ୪୦ଜଣ ସକ୍ରିୟ ସଭ୍ୟ ରହିବେ। ଜଣେ ସକ୍ରିୟ ସଭ୍ୟଙ୍କୁ ଅତିକମ୍‌ରେ ୨୪ଜଣ ସଭ୍ୟ କରିବାକୁ ପଡ଼ିବ। ସଭ୍ୟ ସଂଗ୍ରହରେ ଆଧାର ଲିଙ୍କକୁ ବାଧ୍ୟତାମୂଳକ କରାଯିବ। ଏହାଦ୍ୱାରା ଦଳର ସମ୍ପୃକ୍ତ ସଭ୍ୟଙ୍କୁ ସରକାରୀ ଯୋଜନାରୁ ସୁବିଧା ମିଳୁଛି କି ନାହିଁ ତାହା ଜଣାପଡ଼ିବ। ବିଜେଡିର ସଭ୍ୟ ସଂଗ୍ରହର ସମସ୍ତ ତଥ୍ୟ ଦଳର ୱେବସାଇଟରେ ଉପଲବ୍ଧ ହେବ। ତା’ଛଡ଼ା ଅନଲାଇନରେ ମଧ୍ୟ ବିଜେଡି ୱେବସାଇଟକୁ ଯାଇ ଜଣେ ଦଳର ସଭ୍ୟ ହୋଇପାରିବ। ଦଳର ଏବେ ପ୍ରାୟ ୪୭ଲକ୍ଷ ସଭ୍ୟ ଥିବାବେଳେ ଚଳିତବର୍ଷ ଏଥିରେ ଆଉ ପ୍ରାୟ ୩୦ଲକ୍ଷ ନୂଆ ସଭ୍ୟ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀକୁ ସମ୍ବୋଧିତ କରି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ପରିବର୍ତ୍ତନର ବାର୍ତ୍ତାବହ ହେବାକୁ ଆହ୍ୱାନ କରିଛନ୍ତି। 

Spread the love