ଏବେ ପଶ୍ଚିମବଙ୍ଗରେ ରାଜ୍ୟପାଳ ନୁହନ୍ତି ମୁଖ୍ୟମନ୍ତ୍ରୀ ହେବେ ବିଶ୍ବବିଦ୍ୟାଳୟର କୁଳାଧିପତି

କୋଲକାତା: ଆଗରୁ ବିଶ୍ବବିଦ୍ୟାଳୟର କୁଳାଧିପତି ଭାବରେ ରାଜ୍ୟର ରାଜ୍ୟପାଳ ହୁଅନ୍ତି,କିନ୍ତୁ ଏବେ ପଶ୍ଚିମବଙ୍ଗରେ ରାଜ୍ୟପାଳ ନୁହନ୍ତି ମୁଖ୍ୟମନ୍ତ୍ରୀ ହେବେ ବିଶ୍ବବିଦ୍ୟାଳୟର କୁଳାଧିପତି। ପଶ୍ଚିମବଙ୍ଗ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ରାଜ୍ୟ ଦ୍ବାରା ପରିଚାଳିତ ବିଶ୍ୱବିଦ୍ୟାଳୟଗୁଡ଼ିକ‌ରେ ରାଜ୍ୟପାଳ କୁଳାଧିପତି ହେବେ ନାହିଁ। ରାଜ୍ୟପାଳଙ୍କ ପରିବର୍ତ୍ତେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଶ୍ୱବିଦ୍ୟାଳୟଗୁଡ଼ିକ‌ରେ କୁଳାଧିପତି ହେବେ। ରାଜ୍ୟ ଶିକ୍ଷା ମନ୍ତ୍ରୀ ବ୍ରତ୍ୟା ବାସୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି ନିଷ୍ପତ୍ତି କ୍ୟାବିନେଟ ଦ୍ୱାରା ଅନୁମୋଦନ ହୋଇଛି ଏବଂ ବର୍ତ୍ତମାନ ବିଧାନସଭାରେ ଆଇନରେ ସଂଶୋଧନ କରି ଏହାକୁ କାର୍ଯ୍ୟକାରୀ କରାଯିବ।ତେବେ ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବିିଷୟରେ ସମସ୍ତଙ୍କୁ ଜଣା। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ରାଜ ଭବନ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ପୁଣିଥରେ ବିତର୍କ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସରକାର କହିଛନ୍ତି ଯେ ରାଜ୍ୟପାଳଙ୍କ ଯୋଗୁଁ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତିରେ ବିଳମ୍ବ ହେଉଛି। ଏହି ନିଯୁକ୍ତିରେ ରାଜନୈତିକ ହସ୍ତକ୍ଷେପ ରହୁଛି ବୋଲି ରାଜ୍ୟ ସରକାର କହିଛନ୍ତି।ରାଜ୍ୟପାଳ ଜଗଦୀପ ଧନଖର ଏହା ପୂର୍ବରୁ ଅଭିଯୋଗ କରିଥିଲେ ଯେ ରାଜ ଭବନର ବିନା ଅନୁମତିରେ ରାଜ୍ୟ ସରକାର ଅନେକ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି।

Spread the love