ଏସିଆ ପାସିଫିକ୍‌ ବିଭାଗର ମୁଖ୍ୟ ହେବେ ଭାରତର କ୍ରିଷ୍ଣା ଶ୍ରୀନିବାସନ

ନୂଆଦିଲ୍ଲୀ, ୦୯/୦୬: ବିଶ୍ୱ ମୁଦ୍ରା ପାଣ୍ଠି ବା ଆଇଏମ୍‌ଏଫ୍‌ର ଏସିଆ ପାସିଫିକ୍‌ ବିଭାଗର ମୁଖ୍ୟ ହେବେ ଭାରତର କ୍ରିଷ୍ଣା ଶ୍ରୀନିବାସନ୍‌ । ଆଇଏମ୍‌ଏଫ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜିଓରଜିଏଭା ବୁଧବାର ଏ ନେଇ ସୂଚନା ଦେଇଛନ୍ତି । ଜୁନ୍‌ ୨୨ ତାରିଖରୁ ସେ ଏହି ପଦରେ ଯୋଗ ଦେବେ । ଚାଙ୍ଗୟୋଙ୍ଗ୍‌ ରହିଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି କରାଯିବ । ରହିଙ୍କ କାର୍ଯ୍ୟକାଳ ସମାପ୍ତି ନେଇ ମାର୍ଚ୍ଚ ୨୩ ତାରିଖରେ ଆଇଏମ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା । କ୍ରିଷ୍ଣା ଆଇଏମ୍‌ଏଫ୍‌ ପରିବାରର ଜଣେ ଦକ୍ଷ ଅଧିକାରୀ । ସେ ଆଇଏମ୍‌ଏଫ୍‌ ମିସନ୍‌ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଏବଂ ନୂଆ ନୂଆ କାର୍ଯ୍ୟ କରିଥିବା ଜିଓରଜିଏଭା କହିଛନ୍ତି ।

ଶ୍ରୀନିବାସନ୍‌ ବର୍ତ୍ତମାନ ଏସିଆ ପାସିଫିକ୍‌ ବିଭାଗର ଡେପୁଟୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆଇଏମ୍‌ଏଫ୍‌ରେ ୧୯୯୪ ମସିହାରେ ଯୋଗ ଦେଇଥିବା ବେଳେ ତାଙ୍କର ୨୭ ବର୍ଷର କାର୍ଯ୍ୟ ଦକ୍ଷତା ରହିଛି । ଏସିଆର ବଡ଼ ବଡ଼ ଦେଶ ଯଥା ଚୀନ୍‌, କୋରିଆ ଏବଂ ଛୋଟ ଛୋଟ ଦେଶ ମଧ୍ୟରେ ବୈଦେଶିକ ସଂପର୍କର ସେ ତଦାରଖ କରୁଛନ୍ତି । ଶ୍ରୀନିବାସନ୍‌ଙ୍କର ଆଫ୍ରିକୀୟ ବିଭାଗ (AFR), ମୁଦ୍ରା ଏବଂ ପୁଞ୍ଜି ବଜାର ବିଭାଗ (MCM), ରଣନୀତି, ନୀତି ଏବଂ ସମୀକ୍ଷା ବିଭାଗ (SPR), RES, ୟୁରୋପୀୟ ବିଭାଗ (EUR) ଏବଂ ପଶ୍ଚିମ ଗୋଲାର୍ଦ୍ଧ ବିଭାଗ (WHD) ପରି ବିଭାଗର ନେତୃତ୍ୱ ନେବାର ଭଲ ରେକର୍ଡ ରହିଛି । ଜର୍ଜିଆଭା କହିଛନ୍ତି ଯେ, ଏହି ସ୍ତରର କାର୍ଯ୍ୟ ଏବଂ ଅଭିଜ୍ଞତା ତାଙ୍କ କ୍ୟାରିୟରର ପ୍ରତିଫଳନ । ଯେଉଁଥିରେ ସେ ସ୍ୱଳ୍ପ ଆୟକାରୀ ଦେଶ, ଉଦୀୟମାନ ବଜାର ଏବଂ ଉନ୍ନତ ଅର୍ଥନୀତି ପର୍ଯ୍ୟନ୍ତ ପାଣ୍ଠିର ସଦସ୍ୟତାର ସମ୍ପୂର୍ଣ୍ଣ ଉପଯୋଗ ଉପରେ କାର୍ଯ୍ୟ କରିଛନ୍ତି।

Spread the love