ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର ୧୮।୬: ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ତେବେ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ଏବର୍ଷ ଅଧିକ ଭକ୍ତ ଆସିବେ । ତେଣୁ ସବୁପ୍ରକାର ଆଗୁଆ ବନ୍ଦୋବସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତେ ଯେପରି ଭଲ ଅନୁଭବ ନେଇ ଫେରିବେ, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୋଭିଡ୍ ସମୟରେ ରଥଯାତ୍ରା ବେଳେ ସେବାୟତମାନେ ଯେପରି ସହଯୋଗ କରିଥିଲେ, ନିଜେ ରଥକୁ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ, ସେଥିପାଇଁ ସେ ସେବାୟତମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବୈଠକରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇ ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ବିଭିନ୍ନ ନିଷ୍ପତ୍ତି ଏବଂ ଏହାର ଅନୁପାଳନ ସଂପର୍କରେ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ପି.କେ. ଜେନା ରଥଯାତ୍ରା ପାଇଁ ନିଆଯାଇଥିବା ସମସ୍ତ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ । ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ଆଇନ ଶୃଙ୍ଖଳା ବ୍ୟବସ୍ଥା, ପରିଚାଳନା ଓ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ । ଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସ୍ବାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ରାଞ୍ଚଳ ଆରଡିସି ଧନ୍ୟବାଦ ଅର୍ପଣ କରିଥିଲେ ।

ବୈଠକରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ, ସ୍ବାସ୍ଥ୍ୟ ମନ୍ତ୍ରୀ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ପୁରୀ ସାଂସଦ ଓ ବିଧାୟକ ପ୍ରମୁଖଙ୍କ ସହିତ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ପୁରୀ ଜିଲ୍ଲାପାଳ, ସେବାୟତ ଓ ଛତିଶା ନିଯୋଗର ସଦସ୍ୟମାନେ ଯୋଗ ଦେଇଥିଲେ ।

Spread the love