ଦାଢି-ନିଶ ରଖିଥିବା ଯୁବକଙ୍କୁ ମିଳିବନି ବିବାହ ଅନୁମତି

ରାଜସ୍ଥାନ ୧୮/୦୬: ରାଜସ୍ଥାନର ଏକ ସମୁଦାୟର ନୂଆ ବିବାହ ନିୟମ ଏବେ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦାଢ଼ି ରଖିଥିବା ଯୁବକଙ୍କୁ ବିବାହ ଅନୁମତି ନାହିଁ ବୋଲି ଏହି ସମୁଦାୟର ପଞ୍ଚାୟତ ନିଷ୍ପତ୍ତି ନେଇଛି । ପାଲି ଜିଲ୍ଲାର ୧୯ଟି ଗାଁରେ ଏହି ନିୟମ ଲାଗୁ କରାଯାଇଛି । କୁମାୱତ୍‌ ସମୁଦାୟ ଦ୍ୱାରା ଏ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଏହି ପ୍ରସ୍ତାବ ଅନୁସାରେ, କେବଳ ଦାଢ଼ି-ନିଶ ନଥିବା ଯୁବକଙ୍କୁ ହିଁ ବିବାହ ଅନୁମତି ପ୍ରଦାନ କରାଯିବ । ଫ୍ୟାଶନ୍‌ ନାଁରେ ବିବାହରେ ବରକୁ ଦାଢ଼ି ରଖିବାକୁ ଅନୁମତି ଦିଆଯିବ ନାହିଁ । କାରଣ ବିବାହ ଏକ ସଂସ୍କାର ଏବଂ ବର ଏଥିରେ ରାଜା ଭଳି ଦେଖାଯାଏ । ତେଣୁ ସେ ଦାଢ଼ି-ନିଶମୁକ୍ତ ହେବା ଉଚିତ । କେବଳ ସେତିକି ନୁହେଁ, ୧୯ ଗାଁର ପଞ୍ଚାୟତ ବିବାହ ଖର୍ଚ୍ଚ କାଟ କରିବାକୁ ଏବଂ ବିବାହକୁ ଆହୁରି ସାଦାସିଧା କରିବାକୁ ନିଷ୍ପତ୍ତି ନେଇଛି ।

ଡିଜେ ନୃତ୍ୟକୁ ସେମାନେ ପୂର୍ବରୁ ବିରୋଧ କରୁଥିଲେ । ପରେ ଏହା ଉପରେ କଟକଣା ଲାଗୁ କରିଛନ୍ତି । ଏହା ସହିତ ବିବାହ ଉତ୍ସବରେ ଅଫିମ ବିକ୍ରି ଓ ଖାଇବାକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି । ଏତତ୍‌ ଭିନ୍ନ ଫ୍ୟାଶନ୍‌ ନାଁରେ ଲୋକେ ଯଦି ବିଷୟ-ଆଧାରିତ ହଳଦୀ ଉତ୍ସବର ଆୟୋଜନ କରି ପୋଷାକ ଓ ସାଜସଜା କରୁଥିବା ନଜର ଆସନ୍ତି, ତେବେ ସେମାନଙ୍କ ଉପରେ ଜରିମାନା ଲାଗୁ ହେବ । ଏଥିସହ କନ୍ୟା ପିନ୍ଧୁଥିବା ସୁନା ଓ ରୁପା ଗହଣାର ପରିମାଣ ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ବିବାହ ଓ ଅନ୍ୟ ଉତ୍ସବରେ ପ୍ରସ୍ତୁତ ହେଉଥିବା ବ୍ୟଞ୍ଜନ ଉପରେ ବି କଟକଣା ଲାଗୁ ହୋଇଛି । ସମୁଦାୟର ଅନ୍ୟତମ ସଦସ୍ୟ ଲକ୍ଷ୍ମୀନାରାୟଣ କହିଛନ୍ତି, ବିବାହ ଆଜିକାଲି ବିଳାସପୂର୍ଣ୍ଣ ହୋଇଯାଇଛି । ସମୁଦାୟର ମଧ୍ୟବିତ୍ତ ଓ ନିମ୍ନ-ମଧ୍ୟବିତ୍ତ ପରିବାର ପାଇଁ ଏହା ଚିନ୍ତାର ବିଷୟ ହୋଇଛି । ତେଣୁ ଆମ ବିଧିବିଧାନ ଅନୁସାରେ ବିବାହକୁ ସରଳ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ।

Spread the love