ଭାବି ନଥିଲି କିଛି ମାସ ଭିତରେ ଛଅ ଅଧିନାୟକଙ୍କ ସହ କାମ କରିବାକୁ ପଡିବ, ରାହୁଲ ଦ୍ରାବିଡଙ୍କ ବଡ ବୟାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ପାଖାପାଖି ୮ ମାସ ପୁରିଛି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜର ପଞ୍ଚମ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍ ପୂର୍ବରୁ ଆଲୋଚନା ବେଳେ ଦ୍ରାବିଡ ବଡ ବୟାନ ଦେଇଛନ୍ତି। ସେ ମଜାକିଆ ଢଙ୍ଗରେ କହିଛନ୍ତି, ସେ ଭାବିନଥିଲେ ଯେ, ଆରମ୍ଭରୁ ତାଙ୍କୁ ଛଅ ଅଧିନାୟକଙ୍କ ସହିତ କାମ କରିବାକୁ ପଡିବ।

ଦ୍ରାବିଡ କହିଛନ୍ତି, ଏହି ଯାତ୍ରା ବହୁତ ଭଲ ରହିଛି। କିଛି ଚ୍ୟାଲେଞ୍ଜିଂ ମଧ୍ୟ ରହିଛି। କାରଣ ପ୍ରଥମ ଆଠ ମାସରେ ଛଅ ଜଣ ଅଧିନାୟକଙ୍କ ସହ କାମ କରିବି ବୋଲି କେବେ ଭାବିନଥିଲି। ମାତ୍ର କରୋନା ସମୟରେ ଏହା ସାଧାରଣ କଥାରେ ପରିଣତ ହୋଇଯାଇଛି। କାରଣ ଆପଣଙ୍କୁ କାମଚାପ ସମୟରେ ପ୍ରତିଟି ଖେଳାଳିଙ୍କ ସହ ଖାପ ଖୁଆଇ ଚଳିବାକୁ ପଡିଥାଏ।

ସୂଚନାଯୋଗ୍ୟ, ରାହୁଲ ଦ୍ରାବିଡ ଟି-୨୦ ବିଶ୍ଵ କପ୍‌ ପରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ସମ୍ଭାଳିଥିଲେ ରାହୁଲ ଦ୍ରାବିଡ। ସେବେଠୁ ଏ ପର୍ଯ୍ୟନ୍ତ ସେ ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଆଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ଶିଖର ଧାଓ୍ଵନଙ୍କ ଅଧିନାୟକତ୍ଵରେ କୋଚ୍ ପ୍ରଶିକ୍ଷକ ଦାୟିତ୍ଵ ତୁଲାଇଛନ୍ତି।

ସେ କହିଛନ୍ତି, ଭିନ୍ନ ଭିନ୍ନ ଅଧିନାୟକଙ୍କ ସହ କାମ କରିବା ଆହ୍ଵାନପୂର୍ଣ୍ଣ ରହିଥାଏ। କିନ୍ତୁ ନୂତନ ଅଧିନାୟକ ପ୍ରସ୍ତୁତ କରିବା ପାଇଁ ଏହା ଭଲ ସମୟ। ଏକ ଦଳଗତ ଭାବେ ଲଗାତାର ସୁଧାର କରିବା ଉପରେ ଆମେ ଗୁରୁତ୍ଵ ଦେଉଛୁ। ରାହୁଲ ଦ୍ରାବିଡ ଏଠାରେ ନିଜ କୋଚିଂ କାର୍ଯ୍ୟକାଳର ସବୁଠୁ ବଡ ନିରାଶ ସମୟ ବଖାଣିଛନ୍ତି। ସେ କହିଛନ୍ତି ଦକ୍ଷିଣ ଆଫ୍ରିକା ଗସ୍ତ ନିରାଶପୂର୍ଣ୍ଣ ରହିଥିଲା। ଆମେ ଟେଷ୍ଟରେ ୧-୦ରେ ଅଗ୍ରଣୀ ପରେ ବି ସିରିଜ୍ ଜିତିପାରିନଥିଲୁ। ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଦୃଷ୍ଟିରୁ ତାହା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। କିନ୍ତୁ ଆମର ସୀମିତ ଓଭର କ୍ରିକେଟରେ ବହୁତ ସୁଧାର ଆସିଛି।

Spread the love