ଆଜି ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ  :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ୨୬ ଓ ୨୭ରେ ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବ ଏବଂ   ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଓ ଆମେରିକା ଯୋଗଦେବେ। ଜର୍ମାନୀ ଜି-୭ ଶିଖର ସମ୍ମିଳନୀ ଅଧ୍ୟକ୍ଷ ରହିଛି । ଭାରତ ଓ ଜର୍ମାନୀ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତ୍ତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି।ବିଦେଶ ଗସ୍ତ ପୂର୍ବରୁ ଏକ ବିବୃତ୍ତିରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜର୍ମାନୀ ଚାନ୍ସେଲର ଓଲାଫ ସୋଲଜଙ୍କ ସହ ପୁନର୍ବାର ସାକ୍ଷାତ ଆଲୋଚନା ହେବାକୁ ଥିବାରୁ ସେ ଆନନ୍ଦ ଅନୁଭବ କରୁଛନ୍ତି। ଗତ ମାସରେ ଭାରତ-ଜର୍ମାନୀ ଆନ୍ତଃ ସରକାରୀ କଥାବାର୍ତ୍ତା ହୋଇଥିଲା। ତେଣୁ ସେ ଏହି ବୈଠକରେ ଯୋଗ ଦେବାକୁ ଯାଉଛନ୍ତି।ପ୍ରଧାନମନ୍ତ୍ରୀ ୨୮ରେ ସଂଯୁକ୍ତ ଆରବ ଏମିରେଟ ଗସ୍ତ କରିବେ । ସେଠାରେ ସେ ସଂଯୁକ୍ତ ଆରବ ଏମିରେଟ୍‌ର ପୂର୍ବତନ ରାଷ୍ଟ୍ରପତି ଶେଖ ଖଲିଫା ଜୟେଦ ଅଲ୍‌ ନାହିୟେଙ୍କ ବିୟୋଗରେ ସମବେଦନା ଜ୍ଞାପନ କରିବେ । ଏହାବ୍ୟତୀତ ସଂଯୁକ୍ତ ଆରବ ଏମିରେଟ୍‌ର ନୂଆ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜୟେଦ ଅଲ ନାହିୟେଙ୍କୁ ଅଭିନନ୍ଦନ ଜଣାଇବେ।

Spread the love