୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମାହାପ୍ରଭୁ

ପୁରୀ ୧୨।୦୭: ୧୨ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଲେ ମାହାପ୍ରଭୁ । କୋଟି କୋଟି ଭକ୍ତଙ୍କ ମଉଡ଼ ମଣି କାଳିଆ ଠାକୁର ବଡ଼ ଭାଇ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି । ଭକ୍ତଙ୍କ ଦୁଃଖର ବିନାଶ କରି, ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇ ଫେରିଛନ୍ତି । ପଣ୍ଡା ପଡ଼ାହାରୀ ପହଣ୍ଡି କରି ତିନି ଠାକୁରଙ୍କୁ ମନ୍ଦିର ଭିତରକୁ ନେଇଛନ୍ତି ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଶେଷ ପର୍ବ ନିଳାଦ୍ରୀ ବିଜେ ନୀତି ସରିଛି । ପୁଣି ନୀଳକନ୍ଦରକୁ ଫେରିଛନ୍ତି ଚତୁର୍ଦ୍ଧାମୂରତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିଛନ୍ତି । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ବୟଂ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିଛନ୍ତି ।

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ସୋମବାର ବିଳମ୍ୱିତ ରାତିରେ ଅଧର ନୀତି ଶେଷ ପରେ ଆଜି ସକାଳୁ ନୀତି ଆରମ୍ଭ ହେଇଥିଲା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଥିଲା ।

ଗତକାଲି ଶ୍ରୀକ୍ଷେତ୍ରରେ ରଥ ଉପରେ ୩ ଦିଅଁଙ୍କ ଅଧରପଣା ନୀତି ସମ୍ପନ୍ନ ହୋଇଥିଲା । ରାଘବଦାସ ମଠ, ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏଁ କରି ୩ ରଥ ଉପରେ ଅଧରପଣା ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଅଧରକୁ ପାଇବା ଭଳି ଉଚ୍ଚ ଥିବା ତୁମ୍ବ ବା ମାଟି ହାଣ୍ଡିରେ ପଣା ଢଳାଯାଇ ଭୋଗ କରାଯାଇଥିଲା। ସାଚି, ଛେନା, କଦଳୀ, କ୍ଷୀର, ସର, ଗୋଲମରିଚ , କର୍ପୁର, ଜାଇଫଳ, କଦଳୀ ଇତ୍ୟାଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ସିଂହଦ୍ବାର ସମ୍ମୁଖ ଛାଉଣୀମଠର କୂଅରୁ ପାଣିଆ ଆପଟ ସେବକମାନେ ପଣା ପାଇଁ ପାଣି ଯୋଗାଇ ଥିଲେ ।

ପରେ ପତ୍ରିବଡୁ, ସୁଆର ବଡ଼ୁ, ଗରାବଡୁ ସେବକ ୩ ରଥରେ ପଣା ପ୍ରସ୍ତୁତ କରିଥିଲେ ।

ମଧ୍ୟାହ୍ନ ଧୂପ ପରେ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ପଣା ପୂଜା କରିଥିଲେ । ଭୋଗ ପରେ ରଥ ଉପରେ ପଣା ହାଣ୍ଡି ଭଙ୍ଗା ଯାଇଥିଲା। ରଥଯାତ୍ରା ସମୟରେ ଶ୍ରୀଜୀଉମାନଙ୍କ ରଥ ସହିତ ବହୁ ଦେବାଦେବୀ, ଚଣ୍ଡି, ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି। ତେବେ ସେମାନଙ୍କ ସନ୍ତୁଷ୍ଟି ନିମନ୍ତେ ଏହି ପଣା ମହାପ୍ରଭୁଙ୍କୁ ସମର୍ପଣ ପରେ ,ରଥରେ ରହିଥିବା ସମସ୍ତ ଅଶରୀରିଙ୍କୁ ଅର୍ପଣ ନିମନ୍ତେ ଭଙ୍ଗାଯାଇଥାଏ ।

ରଥଯାତ୍ରାରେ ମା’ଲକ୍ଷ୍ମୀଙ୍କୁ ସାଙ୍ଗରେ ନନେଇ ପ୍ରଭୁ ଜଗନ୍ନାଥ, ଭାଇ ଓ ଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଏକାକୀ ଚାଲିଯାଇଥିଲେ । ଯାହାକୁ ନେଇ ମା’ ଲକ୍ଷ୍ମୀ, କାଳିଆ ଠାକୁରଙ୍କ ଉପରେ ଅଭିମାନ କରିଥା’ନ୍ତି । ନବ ଦିନାତ୍ମକ ଲୀଳାଖେଳା ସାରି ଘର ବାହୁଡିବା ପରେ ଜଗନ୍ନାଥଙ୍କ ପାଇଁ ଦୁଆର ବନ୍ଦ କରି ଦିଅନ୍ତି ମହାଲକ୍ଷ୍ମୀ । ଉଭୟଙ୍କ ଭିତରେ ବାଚନିକ ହୁଏ । କିନ୍ତୁ ରସଗୋଲାର ମିଠା ଆଗରେ ସବୁଠୁ ଅଭିମାନ ଫିକା ପଡିଯାଏ । ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ଲାଗି ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଅର୍ପଣ କରାଯାଏ ।

Spread the love