ଟେଷ୍ଟ ଶୃଙ୍ଖଳାରୁ ବୁମରା ଆଉଟ୍, ଯାଦବ ଇନ୍

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅକ୍ଟୋବର 2 ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ଶୃଙ୍ଖଳାରୁ ବାଦ ପଡିଛନ୍ତି ଦଳର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମରା। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ସେ ଟେଷ୍ଟ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ବିସିସିଆଇ ଟ୍ଵିଟ୍ କରି ଏହି ସୂଚନା ଦେଇଛି।

ଯଶପ୍ରୀତ ବୁମରାଙ୍କ ଅଣ୍ଟାରେ ଲାଗିଥିବା ଅଘାତର ପ୍ରକୃତ କାରଣ ଏବେ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ। ମାତ୍ର ସାଧାରଣତଃ ଏମିତି ଆଘାତ ଅଧିକ ବୋଲିଂ କରିବା କାରଣରୁ ଲାଗିଥାଏ। ଉଲ୍ଲେଖଯୋଗ୍ୟ, ଯଶପ୍ରୀତ ବୁମାର ଦକ୍ଷିଣ ଆଫ୍ରିକାରେ ପଦାର୍ପଣ କରିବାଠୁ ନେଇ ଏ ପର୍ଯ୍ୟନ୍ତ ଆଘାତ କାରଣରୁ ତିନୋଟି ଟେଷ୍ଟ ମ୍ୟାଚ୍ ଖେଳି ପାରି ନାହାନ୍ତି। 15 ରୁ 12 ଟି ଟେଷ୍ଟରେ ବୁମରା 451.5  ଓଭର ବୋଲିଂ କରିଛନ୍ତି। ମହମ୍ମଦ ସାମିଙ୍କ ପରେ ବୁମରା ଦଳ ପକ୍ଷରୁ ଅଧିକ ବୋଲିଂ କରିଛନ୍ତି।

ବିସିସିଆଇ ମୁତାବକ, ବୁମରାଙ୍କ ପିଠିର ତଳ ଭାଗରେ ହାଲୁକା ଆଘାତ ଲାଗିଛି। ଏହି କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଗାନ୍ଧୀ-ମାଣ୍ଡେଲା ଶୃଙ୍ଖଳାରୁ ବୁମରା ବାଦ୍ ପଡ଼ିଛନ୍ତି। ଏବେ ବେଙ୍ଗାଲୁରୁ ସ୍ଥିତ ଏନସିଏରେ ନିଜର ଆଘାତ ଉପରେ କାମ କରିବେ ଓ ବିସିସିଆଇ ନଜରରେ ରହିବେ। ତାଙ୍କ ସ୍ଥାନରେ ଚୟନକର୍ତ୍ତା ଉମେଶ ଯାଦବଙ୍କୁ ଦଳରେ ସାମିଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଅକ୍ଟୋବର 2 ରୁ ବିଶାଖାପାଟଣାରେ ଖେଳାଯିବ। ଯଶପ୍ରୀତଙ୍କ ଅନୁପସ୍ଥିତିରେ ଭାରତୀୟ ଦ୍ରୁତ ବୋଲର ମୋର୍ଚ୍ଚା ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବ ସମ୍ଭାଳିବେ। ଶୃଙ୍ଖଳାର ଦ୍ଵିତୀୟ ଟେଷ୍ଟ ଅକ୍ଟୋବର 10 ଏବଂ ଅକ୍ଟୋବର 19ରେ ଅନ୍ତିମ ତଥା ତୃତୀୟ ଟେଷ୍ଟ ରାଞ୍ଚିରେ ଖେଳାଯିବ।

Spread the love