କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ୩ ଦିନିଆ କେନ୍ଦୁଝର ଗସ୍ତ

କେନ୍ଦୁଝର:  ୩ ଦିନିଆ କେନ୍ଦୁଝର ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା  । ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତାର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଆସିଛନ୍ତି । ଆଜି ଗସ୍ତର ପ୍ରଥମ ଦିନରେ ସେ ନିର୍ଦ୍ଧାରିତ ସମୟରେ ଆସି ସକାଳ ୧୦ଟାରେ ବଡ଼ବିଲରେ ପହଁଚିଥିଲେ ।  ଦଳୀୟ କାର୍ଯ୍ୟକର୍ତ୍ତା ମାନେ କଲେଜ୍ ଛକ ନିକଟରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ହୋଟେଲ ଲକି ଇଣ୍ଡିଆ ଯାଏଁ ଏକ ମୋଟର ସାଇକେଲ ଶୋଭଯାତ୍ରାରେ ପାଛୋଟି ନେଇଥିଲେ ।  ସେଠାରେ ଆୟୋଜିତ ଲୋକସଭା ମଣ୍ଡଳୀର କୋର କମିଟି ବୈଠକରେ ଆଲୋଚନା କରିବା ସହ ‘ପ୍ରଭାବୀ ମତଦାତା ସମ୍ମିଳନୀ’ରେ ଯୋଗ ଦେଇଥିଲେ ।

ଦିନ ୧ ଟା ୩୦ରେ ବଡ଼ବିଲ ପୌର ପରିଷଦର ୭ନଂ ୱାର୍ଡ କାଉନସିଲର ଧର୍ମେନ୍ଦ୍ର ମହାନ୍ତଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୨ଟା ୩୦ ରେ ବଲାଣୀ ଯାଇ ସେଠାରେ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ବଲାଣୀରୁ ଫେରି ଅପରାହ୍ନ ୪ଟାରେ ବଡ଼ବିଲ ‘ମା ତାରିଣୀ ଗୋଶାଳା’ର ସଭାଗୃହରେ ଆୟୋଜିତ ଏକ ସଭାରେ ସେ ତାଙ୍କର ଅଭିଭାଷଣ ପ୍ରଦାନ କରିଥଲେ ।

ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସଂପର୍କରେ ବିଭିନ୍ନ ବର୍ଗଙ୍କ  ସହ ଆଲୋଚନା ମଧ୍ୟ କରିଥିଲେ । ସନ୍ଧ୍ୟାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ଗସ୍ତ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ରହିଛି । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ରାଜ୍ୟର କିଛି ବରିଷ୍ଠ ନେତୃ ମଣ୍ଡଳୀଙ୍କ ସହ ଜିଲ୍ଲା ପଦାଧିକାରୀଗଣ ଯୋଗଦେଇଥିଲେ।

Spread the love