ଆରଏମଆରସିରେ ହେବ ମଙ୍କିପକ୍ସ ନମୂନା ପରୀକ୍ଷା

ଭୁବନେଶ୍ବର: ଦେଶରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ସତର୍କ ହେଲେଣି ରାଜ୍ୟ ସରକାର।  ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱର ଆରଏମଆରସିରେ ହେବ ମଙ୍କିପକ୍ସ ନମୁନା ପରୀକ୍ଷା ଏବଂ ଆରଏମଆରସିରେ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାରର ଭିତ୍ତିଭୂମି ପ୍ରସ୍ତୁତ ରହିଛି ।ଏନଆଇଭି ପୁନେରୁ କେବଳ କିଟ୍‌ ଅଣାଯାଇ ପରୀକ୍ଷା କରାଯିବ । ନମୁନା ପରୀକ୍ଷା ଅନୁମତି ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଅଗଷ୍ଟ ମାସ ସୁଦ୍ଧା ଭୁବନେଶ୍ୱରରେ ମଙ୍କିପକ୍ସ ଟେଷ୍ଟିଂ ଆରମ୍ଭ ହୋଇପାରେ ବୋଲି ଡାକ୍ତର ସଂଘମିତ୍ରା ପତି କହିଛନ୍ତି ।ଏଯାଏଁ ଓଡ଼ିଶାରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି  । ବିଦେଶ ଫେରନ୍ତାଙ୍କ ତାଲିକା କେନ୍ଦ୍ରକୁ ମଗାଯାଇଛି । ଜିଲ୍ଲାସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ସ୍ବାସ୍ଥ୍ୟ ବିଭାଗ ଖୁବଶୀଘ୍ର ଏସଓପି ଜାରି କରିବ । ଏସସିବି ମେଡିକାଲରେ ମେଡିସିନ୍ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପ୍ରତ୍ୟେକ ଜିଲ୍ଲାରୁ ମେଡିସିନ, ଶିଶୁ ଓ ଚର୍ମରୋଗ ଡାକ୍ତର ତଥା ରାଜ୍ୟ ଏଡ୍ସ କଣ୍ଟ୍ରୋଲ ସୋସାଇଟି ଅଧୀନସ୍ଥ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଏହି ଚିକିତ୍ସା ପାଇଁ ତାଲିମ ଦିଆଯିବ  ।

Spread the love