ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର: ରାଜଧାନୀର ପ୍ରମୁଖ ବଜାର ୟୁନିଟ-୨ ମାର୍କେଟ ବିଲ୍ଡିଂରେ କିଛିଦିନର ବ୍ୟବଧାନ ପରେ ପୁଣିଥରେ ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଗତକାଲି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ଲାଗି ରହିଥିଲା। ଏହାପରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟକୁ ବନ୍ଦ ଘୋଷଣା କରିଛି ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ।ଉଠା ଦୋକାନୀଙ୍କୁ ନେଇ ମାର୍କେଟ ବିଲ୍ଡିଂରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ସେମାନଙ୍କ ପାଇଁ ବଜାର ଗହଳି ଓ ଆବର୍ଜନାମୟ ହେବା ସହ ସ୍ଥାୟୀ ଦୋକାନ କରିଥିବା ବ୍ୟବସାୟୀମାନେ ବ୍ୟବସାୟ କରିପାରୁ ନାହାନ୍ତି। ତେଣୁ ଦୀର୍ଘବର୍ଷ ହେବ ଉକ୍ତ ବ୍ୟବସାୟୀମାନେ ଉଠା ଦୋକାନୀଙ୍କୁ ବିରୋଧ କରି ଆସୁଛନ୍ତି। ଏପରିକି ପୂର୍ବରୁ ବ୍ୟବସାୟୀମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ଏକାଧିକଥର ବଜାର ବନ୍ଦ କରିଛନ୍ତି। ହେଲେ ଉଠା ଦୋକାନୀଙ୍କୁ ବାରମ୍ବାର ଉଠା ଯାଉଥିଲେ ମଧ୍ୟ ପୁଣି ସେମାନେ ଅସାମାଜିକ ଗୋଷ୍ଠୀ ସହାୟତାରେ ଜବରଦଖଲ କରି ବେପାର କରୁଛନ୍ତି। ଗତ ଜୁଲାଇ ୨୪ରେ ବିଏମ୍‌ସି କମିଶନର ଓ ମେୟର ମାର୍କେଟ ବିଲ୍ଡିଂ ବୁଲି ଯାଞ୍ଚ କରୁଥିବାବେଳେ ଉଠାଦୋକାନୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେମାନେ ସେଠାରୁ ଉଠି ଯାଇଥିଲେ। ମାତ୍ର ସପ୍ତାହେ ନ ପୂରୁଣୁ ରବିବାର ଉଠାଦୋକାନୀମାନେ ପୁଣି ସେମାନଙ୍କ ସାମଗ୍ରୀ ଧରି ମାର୍କେଟରେ ପହଞ୍ଚତ୍ଥିଲେ। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। ଫଳରେ ଦୁଇ ଗୋଷ୍ଠୀ ମୁୁହାମୁହିଁ ହୋଇଥିଲେ। କଥା କଟାକଟି ହେବା ସହିତ ଠେଲାପେଲାରୁ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଖବରପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚତ୍ ସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଘଟଣାକୁ ନେଇ ଉଭୟ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ସଂଘ କହିଛି ଯେ, ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀଙ୍କୁ ସ୍ଥାୟୀ ଭାବେ ଉଚ୍ଛେଦ କରା ନ ଯିବା ଯାଏ ମାର୍କେଟ ବନ୍ଦ ରହିବ। ମାର୍କେଟରେ ଯେପରି ଉଠା ଦୋକାନୀ ଆଉ ଥରେ ବେପାର ଆରମ୍ଭ ନ କରନ୍ତି, ସେଥିପାଇଁ ବିଏମ୍‌ସିର ଏକ ମନିଟରିଂ ଟିମ୍‌ ନିୟମିତ ଏହା ଉପରେ ଦୃଷ୍ଟି ରଖୁ ବୋଲି ଦାବି କରାଯାଇଛି।
ସୂଚନାଯୋଗ୍ୟ, ମାର୍କେଟ ବିଲ୍ଡିଂ ସେଣ୍ଟ୍ରାଲ ଆସୋସିଏଶନ ଉଠାଦୋକାନୀଙ୍କ ଜବରଦଖଲକୁ ବିରୋଧ କରିବା ସହ ଏନେଇ ବିଏମ୍‌ସି ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଛି।

Spread the love