ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ନୀତି ଆୟୋଗ ଆସନ୍ତା ୭ ତାରିଖରେ ୭ମ ପରିଷଦ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ୩ ଦିନିଆ (୬ରୁ ୮ ତାରିଖ) ଦିଲ୍ଲୀଗସ୍ତରେ ଯିବେ। ଏହି ବୈଠକରେ ଓଡ଼ିଶା ପୁଣିଥରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଦୋହରାଇବ। ବଙ୍ଗୋପ ସାଗରର ତଟୀୟ ଅଞ୍ଚଳରେ ଥିବା ଓଡ଼ିଶା ସର୍ବାଧିକ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାକୁ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦେବାକୁ କେନ୍ଦ୍ର ନିକଟରେ ରାଜ୍ୟ ଦୀର୍ଘ ୨ ଦଶନ୍ଧି ଧରି ଦାବି କରିଆସୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ବ୍ୟବସ୍ଥା ଉଚ୍ଛେଦ ହେବା ପରଠାରୁ ଓଡ଼ିଶା ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି କରିଆସୁଛି। ଏଥର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫୋକସ୍‌ ଷ୍ଟେଟ୍‌ ସହିତ ରାଜ୍ୟରେ ରେଳ ସାନ୍ଧ୍ରତା ବୃଦ୍ଧି, କୋଇଲା ଓ ଖଣିଜ ସମ୍ପଦରେ ରାଜଭାଗ ବଢାଇବା, ଦୁର୍ଗମ ଅଞ୍ଚଳରେ ଅଧିକରୁ ଅଧିକ ମୋବାଇଲ ଟାୱାର ନିର୍ମାଣ ସହ ଇଣ୍ଟରନେଟ୍‌ ସଂଯୋଗ ଏବଂ ଗ୍ରାମାଞ୍ଚଳରେ ଅଧିକ ବ୍ୟାଙ୍କ ପ୍ରତିଷ୍ଠା କରିବା ଲାଗି ଏକାଧିକ ଦାବି ଦୋହରାଇବେ ବୋଲି ଆଲୋଚନା ହେଉଛି।

Spread the love