ରକ୍ତମୁଖା ସାଜିଛି ଶାସକ ବିଜେଡି :ବିଜେପି

ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କଲାଣି । ଗତକାଲି ବିଜେପି ଯୁବନେତା ମନୋରଜଂନ ମେହେରଙ୍କୁ ଛୁରା ମାଡ କରି ମରଣାନ୍ତକ ଆକ୍ରମଣ କରାଯାଇଛି । ୨୦୧୮ ଉପନିର୍ବାଚନ ସମୟରେ ତାଙ୍କୁ ଗୁଳିମାଡ କରାଯାଇଥିଲା । ଶାସକ ବିଜେଡି ରକ୍ତମୁଖା ସାଜି ବିିରୋଧୀ ମାନଙ୍କୁ ଭୟ ଦେଖାଇ ନିର୍ବାଚନ ଜିତିବା ପାଇଁ ଅପଚେଷ୍ଟା କରିଛି । ଏହା ବିରୁଦ୍ଧରେ ଆଜି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅପରାଧୀକୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରିଛନ୍ତି । ଏହା ସହ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ଉଦ୍ଦେଶ୍ୟରେ ବିଜେପୁରରେ ମୁକ୍ତ, ଅବାଧ ଏବଂ ନିରପେକ୍ଷ ନିର୍ବାଚନ କରିବାକୁ ଦାବି ପତ୍ର ପ୍ରଦାନ କରିଛି । ଶ୍ରୀ ମହାନ୍ତି କହିଛନ୍ତି ଯେ, ମନ୍ତ୍ରୀ ଶୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିଜେପୁରରେ ପୁଣିଥରେ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି । ଗତ ନିର୍ବାଚନରେ ସମାନ ଢଙ୍ଗରେ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରାଯାଇଥିଲା । ଶାସକ ଦଳ ନିର୍ଦ୍ଦେଶରେ ପୋଲିସ କାର୍ଯ୍ୟ କରୁଥିବାରୁ ଅପରାଧୀ ଖୁଲମଖୁଲା ଅପରାଧ ଘଟାଇଚାଲିଛନ୍ତି । ବିଜେପୁରରେ ଭୟର ବାତାବରଣ ସୃଷ୍ଟି କରିଥିବା ଅପରାଧୀଙ୍କ ଉପରେ କଡା ନଜର ରଖିବା ସହ ଏହି ଉପ ନିର୍ବାଚନକୁ ମୁକ୍ତ ଅବାଧ ଏବଂ ନିରପେକ୍ଷ କରାଯାଉ ବୋଲି ପ୍ରତିନିଧୀ ଦଳ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ସତ୍ୟ ପଣ୍ଡା, ହିତେଶ ମହାପାତ୍ର ଏବଂ ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love