ମୁଖ୍ୟମନ୍ତ୍ରୀଙ୍କୁ ଲାଇଫଟାଇମ୍ ଆଚିଭ୍‌ମେଣ୍ଟ ଆୱାର୍ଡ, ସମ୍ମାନିତ କରିବ ନୂଆଦିଲ୍ଲୀ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି

ଭୁବନେଶ୍ୱର ୦୪।୦୯: ରାଜନୀତି ଓ ସମାଜସେବାରେ ୨୫ ବର୍ଷ ଧରି ନିଜକୁ ଉତ୍ସର୍ଗ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯିବ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି. ରମନ୍ନା ।

ତେବେ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ । ଆଓ୍ବାର୍ଡ ସେରିମନିରେ ସାମିଲ ହେବାକୁ ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ଯୁବ ଓ ଛାତ୍ର ନେତା ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ସମ୍ମାନଜନକ ଆୱାର୍ଡ ପାଇବା ପରେ ଦିଲ୍ଲୀରେ ଥିବା ହଜାର ହଜାର ପ୍ରବାସୀ ଓ ବିଜେଡି ନେତାଏ ସେଲିବ୍ରେସନ ପାଇଁ ଯୋରଦାର ପ୍ରସ୍ତୁତି କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ୬ ତାରିଖରେ ଭୁବନେଶ୍ବର ଫେରିଲେ ତାଙ୍କୁ ବିପୁଳ ସ୍ବାଗତ କରିବାକୁ ବଡ଼ ଯୋଜନା କରିଛି ବିଜେଡି । ହଜାର ହଜାର କର୍ମୀ ପାରମ୍ପରିକ ବାଜା, ନୃତ୍ୟ ସହ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବ୍ୟାପକ ଆୟୋଜନ କରିଛି ଦଳ । ଦୁଇ ଦଶନ୍ଧିର ଶାସନରେ ପରିବର୍ତ୍ତନର ସୁତ୍ରଧର ସାଜିଛନ୍ତି ନବୀନ ପଟ୍ଟନାୟକ । ପୂର୍ବରୁ ଶ୍ରେଷ୍ଠ ପ୍ରଶାସକ ଓ ଦୁଇ ଦୁଇ ଥର ଦେଶର ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ନବୀନ ।

୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦାୟଦ ଭାବେ ଜନସେବାରୁ ଆରମ୍ଭ ହେଲା ନବୀନଙ୍କ ରାଜନୈତିକ ଯାତ୍ରା । ନବୀନ ଓଡିଶା ଗଠନ ପାଇଁ ୨୦୦୦ ମସିହାରେ ଧରିଲେ ଶାସନ ଡୋରୀ । ତିଆରି ହେଲା ଓଡିଶା ବିକାଶର ନୂଆ ଅଧ୍ୟାୟ । ସାଢେ ଚାରି କୋଟି ଓଡିଶାବାସୀଙ୍କ ସେବାରେ ଗତ ୨୫ ବର୍ଷ ଧରି ନିରନ୍ତର ଭାବେ ନିଷ୍ଠା ଓ ଆନ୍ତରିକାତାର ସହ କାମ କରିଚାଲିଛନ୍ତି ନବୀନ ପଟ୍ଟନାୟକ । ଏହି ବର୍ଷ ହେଉଛି ନବୀନଙ୍କ ଲୋକସେବାର ରଜତ ଜୟନ୍ତୀ ଉତ୍ସବ । ବିପର୍ଯ୍ୟୟ ମୁକାବିଲା ହେଉ କି ସାଢେ ଚାରି କୋଟି ଓଡିଆଙ୍କ ପାଇଁ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା, ସାରା ବିଶ୍ବ ଓଡିଶା ମଡେଲକୁ ପ୍ରଶଂସା କରୁଛି ।

ମିଶନ ଶକ୍ତି ଜରିଆରେ ୭୦ ଲକ୍ଷ ମହିଳାଙ୍କ ସଶକ୍ତିକରଣ ଠାରୁ ଆରମ୍ଭ କରି ଅଭେଦ୍ୟ ମାଓଗଡକୁ ସ୍ବାଭିମାନ ଅଞ୍ଚଳରେ ରୂପାନ୍ତରିତ କରିବା। ଚାଷୀଙ୍କ ପାଇଁ କାଳିଆ , 5T ଓ ମୋ ସରକାର । ପୁଂଜିନିବେଶର ହବ୍ ଭାବେ ଗଢିତୋଳିବା, କ୍ରିଡା ରାଜଧାନୀ ଭାବେ ପ୍ରତିଷ୍ଠିତ କରିବା, ଦକ୍ଷତା ବିକାଶ ଜରିଆରେ ଲକ୍ଷ ଲକ୍ଷ ଓଡିଆ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ ଭଳି ଲୋକାଭିମୁଖୀ ଯୋଜନା ରାଜ୍ୟ ସରକାରଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ଆନ୍ତରିକତାକୁ ପ୍ରମାଣିତ କରୁଛି । ଆଉ ସେଇଥିପାଇଁ ରାଜ୍ୟବାସୀ ନୂଆ ଓଡିଶାର ବିନ୍ଧାଣୀ ତଥା ବିକାଶପୁରୁଷ ନବୀନ ପଟ୍ଟନାୟକଙ୍କୁ ଗତ ୨୫ ବର୍ଷ ଧରି ନିଜର ଜନନେତା ଭାବେ ବାଛି ଆସୁଛନ୍ତି । ଜୀବନବ୍ୟାପୀ ସେବା ଓ ସଂଘର୍ଷ ପାଇଁ କ୍ୟାପିଟାଲ୍ ଫାଉଣ୍ଡସନ ପକ୍ଷରୁ ନବୀନଙ୍କୁ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଉଛି ।

Spread the love