ପୁଅର ଶୁଦ୍ଧକ୍ରିୟା କରିବାକୁ ବସିଥିଲେ ପରିବାର ଲୋକେ, ହଠାତ୍ ୧୦ବର୍ଷ ପରେ ପୁଅକୁ ଫେରି ପାଇ ଘରେ ଖୁସିର ମାହୋଲ୍

ବୌଦ୍ଧ ୧୦/୦୯ : ୧୦ ବର୍ଷ ହେଲା ନିଖୋଜ ରହିଥିଲା ପୁଅ। ଅନେକ ଖୋଜା ଖୋଜି ପରେ ପୁଅକୁ ପାଇନଥିଲେ। ଶେଷରେ ପୁଅ ମରିଯାଇଥିବ ଭାବି ଶୁଦ୍ଧିକ୍ରିୟା କରିବାକୁ ବନ୍ଧୁପରିଜନ ପରାମର୍ଶ ଦେଇଥିଲେ। ହେଲେ ଦଇବର ଗତି କିଛି ଅଲଗା ଥିଲା। ହଠାତ୍ ପୁଅ ଜୀବିତ ରହିଥିବା ନେଇ ଆସିଥିଲା ଖବର। ଏକଥା ଶୁଣିବା ପରେ ଖୁସିରେ ଆତ୍ମହରା ହୋଇ ପଡିଥିଲେ ପରିବାରର ଲୋକେ ।  ବୌଦ୍ଧର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା।

ବିହାରର ମିଟୁ ପାଣ୍ଡେ ନାମକ ଯୁବକ। ୧୦ ବର୍ଷ ତଳେ ସାମାନ୍ୟ ମାନସିକ ବିକୃତି ସାଙ୍ଗକୁ ନିଶା ସେବନର କୁଅଭ୍ୟାସ ଫଳରେ ଘର ଛାଡି କୁଆଡେ ପଳାଇଥିଲେ । ଘର ଲୋକେ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ଖବର ପାଇପାରିନଥିଲେ । ଅନ୍ୟପଟେ ବୌଦ୍ଧରେ ମାନସିକ ବିକୃତି ଥିବା ଜଣେ ଯୁବକ ନିଶା ସେବନ କରି ଦିନସାରା ବଜାର ମଧ୍ୟରେ ପରିଭ୍ରମଣ କରୁଥିଲେ । ଏହାକୁ ଠାବ କରିଥିଲେ ଉତ୍ସର୍ଗର ଆବାହକ ସଂପଦ କୁମାର ଅଗ୍ରୱାଲା ଏବଂ ସଦସ୍ୟ ଲୋକନାଥ ଗୁପ୍ତା । ବହୁଦିନ ଧରି ନିଶାଗ୍ରସ୍ତ ଅବସ୍ଥାରେ ରହୁଥିବା ଯୁବକ ସହିତ କଥାବାର୍ତ୍ତା ହୋଇ ପରିବାର ସଂପର୍କରେ ସୂଚନା ହାସଲ କରିଥିଲେ ।

ସ୍ବଳ୍ପ ସୂଚନାକୁ  ଆଧାର କରି ଅନେକ ଖୋଜାଖୋଜି କରିବା ପରେ ମିଟୁର ଘର ବିହାରର ଲକ୍ଷିସରାୟ ଜିଲ୍ଲା ଅନ୍ତର୍ଗତ ମସହୋରା ଗ୍ରାମ ବୋଲି  ଜଣାପଡିଥିଲା। ପରେ ସେଠାକାର ସରପଞ୍ଚଙ୍କ ସହ ଯୋଗାଯୋଗ କରି ମିଟୁର ପରିବାରଙ୍କୁ ମିଟୁ ସଂପର୍କରେ ସୂଚନା ଦିଆଯାଇଥିଲା । ପ୍ରଥମରୁ ଅବିଶ୍ବାସ କରୁଥିବା ପରିବାର ଲୋକଙ୍କୁ ମିଟୁର ଫୋଟ ପଠାଇବା ସହିତ ଅନେକ ଆଲୋଚନା କରିବା ପରେ ସେମାନେ ବୁଝିପାରିଥିଲେ । ପରେ ମିଟୁର ବାପା ଦିଲିପ କୁମାର ପାଣ୍ଡେ, ଭିଣେଇ ସୁଧାକର ପାଣ୍ଡେ, ଭାଇ ସୋନୁ ପାଣ୍ଡେ ଓ ଗୁଡୁ ପାଣ୍ଡେ ବୌଦ୍ଧରେ ପହଁଚିଥିଲେ । ମିଟୁ ସହିତ ଭେଟ ହେବା ସହିତ ମିଟୁର ଅବସ୍ଥା ଦେଖି ତାର ବାପାର ଆଖିରୁ ମଧ୍ୟ ଲୁହ ଝରିପଡିଥିଲା । ଉତ୍ସର୍ଗର ସଦସ୍ୟମାନଙ୍କ ସହାୟତାରେ ମିଟୁଙ୍କ କେଶ ଓ ଦାଢ଼ୀ କଟାଯିବା ସହ ଗାଧୋଇ ନୂଆ ଡ୍ରେସ ପିନ୍ଧାଯାଇଥିଲା । ମିଟୁର ବାପାଙ୍କ ଆର୍ଥିକ ସ୍ବଚ୍ଛଳ ଭଲ ନଥିବାରୁ ଗାଡି କରି ବିହାରକୁ ନେବା ସମ୍ଭବ ହୋଇପାରୁନଥିଲା । ଏହି ସମୟରେ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲେ । ଜିଲ୍ଲାପାଳ ସତ୍ୟରଂଜନ ସାହୁ ସମସ୍ତ ବିଷୟରେ ଅବଗତ ହେବାପରେ ପ୍ରଶାସନ ପକ୍ଷରୁ ରେଡକ୍ରସ ମାଧ୍ୟମରେ ଏକ ଗାଡି ଯୋଗାଇ ଦେଇଥିଲେ । ଏହା ସହ ୧୦ ବର୍ଷ ପରେ ହଜିଯାଇଥିବା ପୁଅକୁ ଫେରିପାଇଥିବାରୁ ଶୁଭେଚ୍ଛା ଜଣାଇଥିଲେ ଜିଲ୍ଲାପାଳ ସତ୍ୟରଂଜନ ସାହୁ।

Spread the love