ଭାଙ୍ଗିଲା କୁଖ୍ୟାତ ମଦ ବ୍ୟବସାୟୀ ଜ୍ଞାନର ମଦଭାଟି

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଚୋରା ମଦ କାରବାର ଥମିବାର ନାଁ ନେଉନି। ପ୍ରତ୍ୟେକ ଗାଁର ଛକ ବଜାର ଏପରିକି ପାନ ଦୋକାନରେ ମଧ୍ୟ ମଦ ବିକ୍ରିହେଉଛି। ଛୋଟ ପିଲାଙ୍କ ଠାରୁ ଆରମମ୍ଭ କରି ବଡ଼ ଲୋକଙ୍କ ପର୍ଯ୍ୟନ୍ତ ନିଶାରେ ମାତାଲ ହୋଇ ବୁଲିବା ସହ ଅପରାଧ ଘଟାଉଛନ୍ତି। ବାରମ୍ୱାର ଅଭିଯୋଗ ସତ୍ତ୍ୱେବି ପୋଲିସର କୌଣସି କାର୍ଯ୍ୟୀନୁଷ୍ଠାନ ଗ୍ରହଣ କରୁନାହିଁ।  କାଁଭାଁ ଚୋରା ମଦ ଦୋକାନ ଉପରେ ଚଢ଼ଉ କରି ପୋଲିସ ପ୍ରଶାସନ ଚୁପ୍‌ ରହୁଛି। ଫଳରେ ରବିବାର ଗାଁର ମହିଳାମାନେ ମିଶି ଚୋରା ମଦ ଦୋକାନ ଭାଙ୍ଗୁଥିବାର ଚିତ୍ର ସାମ୍ନାକୁ ଆସିଛି। ଭୋଗରାଇ ବ୍ଲକ ମହାଗବ ପଞ୍ଚାୟତର ଚାନ୍ଦକୁସୁମୀ ଗାଁର ମହିଳାମାନେ ମଦ ବିରୋଧରେ ଉତ୍ୟକ୍ତ ହୋଇ ଏପରି ଏପରି ଚରମ ନିଷ୍ପତ୍ତି ନେଇଛନ୍ତି।  

ଖବର ଅନୁସାରେ, ପ୍ରିୟବାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାଖ ଚାନ୍ଦକୁସୁମୀ ଗାଁର ଗୌତମ ଦାସ (ଜ୍ଞାନ)ବହୁ ବର୍ଷ ହେଲା ଏକ ତେଜରାତି ଓ ପାନ ଦୋକାନ କରିଛନ୍ତି। କିନ୍ତୁ ଗତ ୨ ବର୍ଷ ହେଲା ସେଠାରେ ସେ  ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ୨୦୨୧ରେ ସ୍ଥାନୀୟ ଲୋକେ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ।

ଏହି ଅଞ୍ଚଳରେ ବହୁ ଦିନ ଧରି ଚୋରା ମଦ କାରବାର ଖବର ପାଇ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ମଦ ବେପାରୀ ଗୌତମ ଦାସଙ୍କୁ ଗିରଫ କରିଥିଲେ ମଧ୍ୟ ସେ ଜାମିନରେ ଆସିଥିଲେ। ଏହାପରେ ପୁଣି ସେ ଲକ୍ଷାଧିକ ଟଙ୍କାର ମଦ ବେପାର ଆରମ୍ଭ କରିଥିଲେ। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ମଦ ବିକ୍ରିକରିବା ସହ ଭୋଗରାଇ ବିଭିନ୍ନ ଜାଗାକୁ ମଦ ଯୋଗଉଥିଲେ। ତାଙ୍କର ଏପରି କାମ ପାଇଁ ହୋଇ ସ୍ଥାନୀୟ ଅଞ୍ଚଳର ମହିଳାମାନେ ଏକାଠି ହୋଇ ରବିବାର ସନ୍ଧ୍ୟାରେ ତାଙ୍କ  ଦୋକାନ ଯାଞ୍ଚ କରିବା ସହିତ ଭଙ୍ଗାରୁଜା କରିଥିଲେ। ଦୋକାନ ଆଗରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।

ଏହା ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲକୁ ରାସ୍ତାରେ ଭାଙ୍ଗି ସେଥିରେ ନିଆଁ ଲଗାଇଥିଲେ। ପୁରା ଦୁଇ ଘଣ୍ଟା ଧରି ୧୦୦ରୁ ଅଧିକ  ମହିଳା ଉତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ ଭଙ୍ଗା ରୁଜା କରିଥିଲେ। ଏପରି ସ୍ଥଳେ ଖବର ଲେଖାହେବା ବେଳକୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ନଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଚଢ଼ଉ ପୂର୍ବରୁ ସମ୍ପୃକ୍ତ ଚୋରା ମଦ ବେପାରୀ ଗୌତମ ଦାସ ସେଠାରୁ ଫେରାର ହୋଇଯାଇଛନ୍ତି। ସେଠାରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି।

Spread the love