PFI ଉପରେ ଚଢଉ ପରେ ଅଜିତ୍ ଡୋଭାଲଙ୍କ ସହ ଅମିତ ଶାହଙ୍କ ବୈଠକ

ନୂଆଦିଲ୍ଲୀ: କଟ୍ଟର ମୁସଲିମ ସଂଗଠନ ପିଏଫଆଇ ଉପରେ ଏନଆଇଏ, ଇଡି ଏବଂ ୧୩ ରାଜ୍ୟର ପୋଲିସ ଚଢଉ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହି ବୈଠକରେ ବରିଷ୍ଠ ସୁରକ୍ଷା ଅଧିକାରୀ, ବିଭିନ୍ନ ଏଜେନ୍ସିର ଅଫିସରଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି । ଚଢଉ ସମୟରେ ପିଏଫଆଇ ଏବଂ ଏହାସହ ଜଡିତ ସଂଗଠନ ଏସଡିପିଆଇରୁ କେଉଁ କେଉଁ ଦସ୍ତାବିଜ ଏବଂ ପ୍ରମାଣ ମିଳିଛି ଏବଂ ଏହା ବିରୋଧରେ କେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ତାହା ଉପରେ ଆଲୋଚନା ହୋଇଛି । ଆଇବି ପକ୍ଷରୁ ଦିଆଯାଇବା ଗୁଇନ୍ଦା ରିପୋର୍ଟ ଆଧାରରେ ଗୁରୁବାର ସକାଳେ ଦେଶର ୧୩ଟି ରାଜ୍ୟରେ ଚଢଉ କରାଯାଇଛି । ଏହି ସମୟରେ ପିଏଫଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ୧୦୬ ଜଣଙ୍କୁ ଏନଆଇଏ ଗିରଫ କରିଛି ।

ବୁଧବାର ରାତିରୁ ସବୁ ରାଜ୍ୟର ପୋଲିସକୁ ଏଥିପାଇଁ ସକ୍ରିୟ କରାଯାଇଥିଲା । ଆଗକୁ ଏହି ସଂଗଠନ ଉପରେ କେଉଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ଉପରେ ବିଚାରବିମର୍ଶ କରାଯାଉଛିି । ଏହି ସଂଗଠନ ନିଜକୁ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ସହ ଜଡିତ ଥିବା ଦାବି କରୁଛି, କିନ୍ତୁ ଦେଶର ଅନେକ ହତ୍ୟା ଏବଂ କଟ୍ଟରପନ୍ଥୀ ଘଟଣାରେ ଏହାର ସମ୍ପୃକ୍ତିର ଅଭିଯୋଗ ରହିଛି । କେବଳ ଏତିକି ନୁହେଁ, ରାଜସ୍ଥାନ ଉଦୟପୁରର କହ୍ନୈୟାଲାଲ ଏବଂ ଅମରାବତୀର କେମିଷ୍ଟଙ୍କ ହତ୍ୟାରେ ମଧ୍ୟ ଏହି ସଂଗଠନର ନାଁ ସାମନାକୁ ଆସିଥିଲା। କିନ୍ତୁ ପିଏଫଆଇ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲା ।

ଗୁରୁବାର ହୋଇଥିବା ଚଢଉରେ କେରଳରୁ ସର୍ବାଧିକ ୨୨ ଜଣଙ୍କୁ ଗିରଫ କରାଯାଇଛି । ଏହାଛଡା ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ୨୦-୨୦ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଆନ୍ଧ୍ର ପ୍ରଦେଶରୁ ୫, ଆସାମରୁ ୯, ଦିଲ୍ଲୀରୁ ୩, ମଧ୍ୟ ପ୍ରଦେଶରୁ ୪ ଏବଂ ପୁଡୁଚେରୀରୁ ୩ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ତାମିଲନାଡୁରୁ ୧୦, ଉତ୍ତର ପ୍ରଦେଶରୁ ୮ ଏବଂ ରଜସ୍ଥାନରୁ ୨ ଜଣଙ୍କୁ ଗିରଫ କରାଯାଇଛି।  

Spread the love