‘ବୈତରଣୀ ନଦୀ ଓ ମୃଗା ନାଳ’ ପାଣିକୁ ପ୍ରଦୂଷିତ କରୁଛି ଜିନ୍ଦଲ କମ୍ପାନୀ ନଦୀ ପ୍ରଦ୍ୟୁଷଣ ପାଇଁ ରାଜ୍ୟ ସରକାର ଦାୟୀ: ମହେଶ୍ୱର ସାହୁ

ଭୁବନେଶ୍ୱର, ତା.୨୨/୦୯: ନଦୀର ସୁରକ୍ଷା ଓ ପ୍ରଦୂଷିତ ମୁକ୍ତ କରିବା ଲାଗି ବିଜେପିର ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଆଜି ରାଜ୍ୟପାଳ ଶ୍ରୀ ଗଣେଶ ଲାଲଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବିଲେଇପଦାଠାରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଂଟ ଲିମିଟେଡ କାରଖାନାରୁ ନିର୍ଗତ କେମିକାଲ ମିଶା ମଇଳା ପାଣିକୁ କମ୍ପାନୀ ସିଧାସଳଖ ଭାବରେ ମୃଗା ନାଳରେ ଛାଡିଥିବାରୁ ବୈତରଣୀ ନଦୀର ଜଳ ସମ୍ପୂର୍ଣ୍ଣ ବିଷାକ୍ତ ଓ ପ୍ରଦୂଷିତ ହୋଇଯାଇଛି । ମୃଗା ନାଳ ଏବଂ ବୈତରଣୀ ନଦୀର ପାଣିକୁ ବ୍ୟବହାର କରୁଥିବା ବ୍ୟକ୍ତିମାନେ ନାନାଦି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେଉଛନ୍ତି । ନଦୀଜଳ ପ୍ରଦୂଷଣ କାରଣରୁ ବୈତରଣୀ ନଦୀ ଓ ମୃଗା ନାଳର ଜଳଚର ଜୀବମାନେ ମରି ଯାଉଛନ୍ତି । ନଦୀ ଜଳକୁୁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ପଶୁ ପକ୍ଷୀମାନେ ନାନାଦି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆହୁରି ମଧ୍ୟ କାରଖାନାର ଏହି ବିଷାକ୍ତ ପାଣିରେ ପାଖ ଆଖ ଅଂଚଳର ଚାଷ ଜମିରେ ଫସଲ ମରି ଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ଜିନ୍ଦଲ କମ୍ପାନୀ ୱାଟର ଟ୍ରିଟିମେଂଟ ପ୍ଲାଂଟ ବସାଇ କାରଖାନାରୁ ନିର୍ଗତ ମଇଳା ପାଣିକୁ ବିଶୋଧନ କରି ପୁନର୍ବାର ସେହି ପାଣିକୁ କାରଖାନାରେ ବ୍ୟବହାର କରିବା କଥା । କିନ୍ତୁ ଜିନ୍ଦଲ କମ୍ପାନୀର ନିର୍ଗତ ମଇଳା ପାଣିକୁ ବିଶୋଧିତ ନକରି ସିଧାସଳଖ ଭାବରେ ମୃଗା ନାଳରେ ଛାଡି ଦେଉଥିବାରୁ ମୃଗା ନାଳ ଓ ବୈତରଣୀ ନଦୀ ଆଜି ସମ୍ପୂର୍ଣ୍ଣ ଭାବରେ ପ୍ରଦୂଷିତ ହୋଇଯାଇଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ଲକ୍ଷାଧିକ ଲୋକ ଏହି ପାଣି ବ୍ୟବହାର କରି ନାନାଦି ଚର୍ମରୋଗ ଓ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନାରୁ ନିର୍ଗତ ଧୂଳି ଧୂଆଁରେ ଆଖପାଖ ଅଂଚଳରେ ବାୟୁ ମଣ୍ଡଳ ବ୍ୟାପକ ମାତ୍ରାରେ ପ୍ରଦୂଷିତ ହେଉଛି । ଏପରିକି ଗଛଲତା, ଘରଦ୍ୱାର ଧୂଳି ଧୂଆଁରେ ଆସ୍ତରଣ ଜମିଯାଉଛି । ଫଳରେ ଲୋକମାନେ ନାନାଦି ଶ୍ୱାସ ଜନିତ ରୋଗ ଯଥା- ଯକ୍ଷ୍ମା, ଶ୍ୱାସ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଲୋକ ମରୁଥିବାର ଦେଖିବାକୁ ମିଳୁଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନାର ଚତୁପାଶ୍ୱର୍ରେ ବୃକ୍ଷ ରୋପଣ କରିବା କଥା କିନ୍ତୁ ବୃକ୍ଷରୋପଣ କରି ନଥିବାରୁ ବାୟୁମଣ୍ଡଳ ଅତ୍ୟଧିଳ ମାତ୍ରାରେ ପ୍ରଦୂଷିତ ହେଉଛି । ନଦୀ ପ୍ରଦୂଷଣ ସମସ୍ୟାର ସମାଧାନ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ କାରଖାନା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ସାହୁ ନିବେଦନ କରିଛନ୍ତି ।
ରାଜ୍ୟର ବିଭିନ୍ନ ନଦୀରେ ହେଉଥିବା ପ୍ରଦ୍ୟୁଷଣ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ରାଜ୍ୟ ସରକାର ବିହୀତ ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନିଆଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଏହି ଅବସରରେ ଉପଦେଷ୍ଟା ଶ୍ରୀ ଯୁଧିଷ୍ଟର ମହାରଣା, ରାଜ୍ୟ ସହସଂଯୋଜକ ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ଶ୍ରୀ ଅଶୋକ କୁମାର ରଥ, ରାଜ୍ୟ କମିଟି ସଦସ୍ୟ ଶ୍ରୀ ଅଶ୍ରୁମୋଚନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love