ବକୁଳ ଫାଉଣ୍ଡେଶନ ଓ ବାର୍ବିକ୍ୟୁ ନେଶନର ବସ୍ତି ପିଲାଙ୍କ ପାଇଁ ନିଆରା ପ୍ରୟାସ

ଭୁବନେଶ୍ୱର  : ବଡ଼ ହୋଟେଲରେ ବସି ସୁସ୍ବାଦୁ ଖାଦ୍ୟ ଖାଇବା ବସ୍ତି ପିଲାଙ୍କ ପାଇଁ ସାତ ସପନ।ଏହି ସପନକୁ ସତ କରିଛି ବକୁଳ ଫାଉଣ୍ଡେଶନ ଓ ବାର୍ବିକ୍ୟୁ ନେଶନ। ବକୁଳ ପକ୍ଷରୁ ଦାନ ଉତ୍ସବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରର କାର୍‌ଗିଲ ବସ୍ତି, ଭରତପୁର ବସ୍ତି, ସାଲିଆ ସାହି, ୟୁନିଟ୍‌-୯ ଆଦି ବସ୍ତିର ୧୨୦ ପିଲାଙ୍କୁ ଗଜପତିନଗରସ୍ଥିତ ବାର୍ବିକ୍ୟୁ ନେଶନ ହୋଟେଲରେ ସ୍ବତନ୍ତ୍ର ଖାଦ୍ୟ ଖୁଆଇବାର ବ୍ୟବସ୍ଥା କରାଯାଇଥିଲା। କମିଶନରେଟ୍‌ ପୋଲିସ ସହାୟତାରେ ପିଲାମାନେ ବସ୍ତିରୁ ବାର୍ବିକ୍ୟୁ ନେଶନରେ ପହଞ୍ଚତ୍ବା ପରେ ଗୋଟିଏ ପରେ ଗୋଟିଏ ଖାଦ୍ୟ ପରଷା ଯାଇଥିଲା। ପ୍ରଥମେ ଷ୍ଟାର୍ଟର, ପରେ ମେନ୍‌ କୋର୍ସରେ ଭଳିକି ଭଳି ସୁଆଦିଆ ଆମିଷ ଓ ନିରାମିଷ ଖାଦ୍ୟ ଦିଆଯାଇଥିଲା। ପିଲାମାନେ ଆନନ୍ଦରେ ପେଟପୂରା ଖାଇଥିଲେ। ପରସ୍ପର ମଧ୍ୟରେ ଖୁସି ବାଣ୍ଟି ସମ୍ପର୍କ ଯୋଡ଼ିଥିଲେ। ଶେଷରେ ଗୁଲାବ ଜାମୁନ୍‌ ଖାଇ କୋଲ୍ଡଡ୍ରିଙ୍କସ୍‌ ପିଇ ଖୁସିରେ ଫେରିଥିଲେ। ଏହା ବାର୍ବିକ୍ୟୁ ନେଶନରେ ଏକ ନିଆରା ପରିବେଶ ସୃଷ୍ଟି କରିଥିଲା। ଯିବେବେଳେ ଏହି କୁନି କୁନି ପିଲାଙ୍କ ମନର ଖୁସି ବାରି ହୋଇପଡିଥିଲା। ଏତେ ବଡ଼ ହୋଟେଲରେ ବସି ଏଭଳି ଖାଦ୍ୟ ଖାଇବାର ସୁଯୋଗ କେବେ ମିଳି ନ ଥିଲା। ମନଭରି ଖାଇଲୁ, ଭାରି ଭଲ ଲାଗିଲା ବୋଲି ପିଲାମାନେ କହିଥିଲେ।ଦାନ ଉତ୍ସବର ଅଂଶୀଦାରଭାବେ ଗତ ୬ ତାରିଖରୁ ବାର୍ବିକ୍ୟୁ ନେଶନ ‘ବିଗ୍‌ ଆପିଟାଇଟ୍‌ ଓ ବିଗର ହାର୍ଟସ ଅଭିଯାନ’ ଆରମ୍ଭ କରିଥିଲା। ଆଗାମୀ ଦିନରେ ଏହି ଅଭିଯାନରେ ବାର୍ବିକ୍ୟୁ ନେଶନ୍‌କୁ ଖାଇବା ପାଇଁ ଆସୁଥିବା ଅତିଥିମାନେ ମଧ୍ୟ ନିଜକୁ ସାମିଲ କରିପାରିବେ ବୋଲି ଏହାର ସିଇଓ ରାହୁଲ ଅଗ୍ରୱାଲ କହିଛନ୍ତି।
ସୂଚନାଯୋଗ୍ୟ, ବକୁଳ ଫାଉଣ୍ଡେଶନ ପ୍ରତିବର୍ଷ ନିଆରା ଢଙ୍ଗରେ ଗତ ୨ ତାରିଖରୁ ଦାନ ଉତ୍ସବ ପାଳନ କରୁଛି। ପ୍ରଥମ ଦିନରୁ ୩ଶହ ସାମାଜିକ କର୍ମୀ ୫୦ରୁ ଊର୍ଦ୍ଧ୍ୱ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ଗପକୁହା, ହସ୍ତଶିଳ୍ପ କାରିଗରି ଆଦି ମାଧ୍ୟମରେ ଖୁସି ବାଣ୍ଟିଥିଲେ। ଏଥିସହିତ ପିଲାଙ୍କ ମଧ୍ୟରେ ବହି ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବକୁଳ ଲାଇବ୍ରେରିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ବୋଲି ପ୍ରତିଷ୍ଠାତା ସୁଜିତ୍‌ ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢ଼ାଇ କମିଶନରେଟ ପୋଲିସ ବସ୍ତି ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଛି।

Spread the love