ଦୋଷୀ ସାବ୍ୟସ୍ତ ହେଲେ ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ, କୋର୍ଟ ଦେଲେ ଏହି ଦଣ୍ଡ

ନୂଆଦିଲ୍ଲୀ: ନିର୍ବାଚନ ରାଲି ବେଳେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେଲେ ବିଜେପି ନେତ୍ରୀ ରୀତା ବହୁଗୁଣା ଯୋଶୀ। ୧୦ ବର୍ଷ ତଳେ ହୋଇଥିବା ଏହି ମାମଲାରେ ରୀତାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଲକ୍ଷ୍ନୌର ସ୍ୱତନ୍ତ୍ର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ।

୧୦ ବର୍ଷ ତଳର ଏହି ମାମଲା ପାଇଁ ରୀତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ଏହାପରେ ଶୁକ୍ରବାର କୋର୍ଟରେ ହାଜର ହୋଇଥିଲେ ଯୋଶୀ। ଏହି ମାମଲାରେ କୋର୍ଟ ରୀତାଙ୍କ ସମେତ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ନିର୍ବାଚନ କମିଶନ ଦେଇଥିବା ନିର୍ଦ୍ଧାରିତ ସମୟ ପରେ ବି ରୀତା ଓ ବିଜେପି ନେତାମାନେ ରାଲି କରିଥିଲେ। ଏହାପରେ ବିଜେପି ନେତାଙ୍କ ବିରୋଧରେ ମାମଲା ହୋଇଥିଲା।

ତେବେ ଏହି ମାମଲାର ଶୁଣାଣି କରି ସମସ୍ତ ୫ ଦୋଷୀଙ୍କୁ ଛାଡ଼ି ଦେଇଛନ୍ତି କୋର୍ଟ। ହେଲେ ୬ ମାସ ନଜରବନ୍ଦୀରେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତା ସହିତ ୨୦ ହଜାର ଟଙ୍କାର ଦୁଇଟି ବ୍ୟକ୍ତିଗତ ମୁଚାଲିକା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ଭିତରେ ପ୍ରୋବେସନ ଅଫିସରଙ୍କ ପାଖରେ ହାଜର ହେବା ସହ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲା ୨୦୧୨ ମସିହାର। ରୀତା ସେତେବେଳେ କଂଗ୍ରେସ ଦଳରୁ ବିଧାନସଭା ନିର୍ବାଚନ ଲଢୁଥିଲେ। ଏହି ସମୟରେ ସେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ନିର୍ଦ୍ଧାରିତ ସମୟ ପରେ ବି ରାଲି କରିଥିଲେ। ଏନେଇ ୨୦୧୨ ଫେବ୍ରୁଆରୀରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।

Spread the love