ସତ୍ୟାଗ୍ରହ ସ୍ଥଳୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ଚାଷୀଙ୍କ ଟଙ୍କାକୁ କାହିଁକି ହଡପ୍ କରୁଛନ୍ତି ରାଜ୍ୟ ସରକାର : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର, ତା.୨୨/୧୧ : ଭୋଟ୍ ସର୍ବସ୍ୱ ଶାସକ ବିଜେଡି ଓଡିଶାବାସୀଙ୍କ ପ୍ରତି ଥିବା ନିଜ ଦାୟୀତ୍ୱ ଏବଂ କର୍ତବ୍ୟରୁ ଓହରି ଯାଇ କେବଳ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଉଛି । ରାଜ୍ୟର ଚାଷୀ ଭାଇ ଓ ଭଉଣୀମାନଙ୍କ କଷ୍ଟ ଉପାର୍ଜିତ ଧାନକୁ ସଠିକ ମୂଲ୍ୟରେ ଏବଂ ବ୍ୟବସ୍ଥିତ ଭାବେ ବିକ୍ରି କରିବା ପାଇଁ ଚାହିଁ ରହିଥିବାବେଳେ ଏହି ବିଭାଗର ମନ୍ତ୍ରୀମାନେ ନିଜ ଦାୟୀତ୍ୱ ଏବଂ କର୍ତବ୍ୟରୁ ଓହରି ଯାଇ ବର୍ତମାନ ପଦ୍ମପୁର ଉପନିର୍ବାଚନ ବିଜେଡି ପ୍ରଚାର କାର୍ଯ୍ୟରେ ମାତିଛନ୍ତି । ବିଶେଷ ଭାବେ ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ସମବାୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ବରଗଡ ଜିଲ୍ଲା ପଦ୍ମପୁରଠାରେ ଡେରା ପକାଇଛନ୍ତି । ଧାନ କିଣା ଦାୟୀତ୍ୱରେ ଥିବା ଏହି ଦୁଇ ଜଣ ମନ୍ତ୍ରୀ ଯଦି ନିଜ କର୍ତବ୍ୟକୁ ଭୁଲି ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବେ, ତାହେଲେ ସୁବ୍ୟବସ୍ଥିତ ଧାନ କିଣାର ତଦାରଖ୍ ଏବଂ ଚାଷୀ ସମସ୍ୟାର ସମାଧାନ କିଏ କରିବ? ଚାଷୀଙ୍କ ଟଙ୍କାକୁ ରାଜ୍ୟ ସରକାର କାହିଁକି ହଡପ୍ କରୁଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ଆଜି ସତ୍ୟାଗ୍ରହ ସ୍ଥଳୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ନଭେମ୍ବର ୨ ତାରିଖରୁ ବିଭିନ୍ନ ମଣ୍ଡି ଜରିଆରେ ଧାନ କିଣା ଯିବ ବୋଲି ଧାର୍ଯ୍ୟ ହୋଇଥିଲା । କେବଳ ପଦ୍ମପୁର ଉପନିର୍ବାଚନକୁ ଆଖି ଆଗରେ ରଖି ଏବଂ ଚାଷୀଙ୍କ ଆକ୍ରୋଶରୁ ବଂଚିବା ପାଇଁ ରାଜ୍ୟ ସରକାର ୧୯ଦିନ ବିଳମ୍ବରେ ଗତକାଲି ବରଗଡ ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ କରିଲେ । ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟୀତ୍ୱରେ ଥିବା ଏହି ୨ ଜଣ ମନ୍ତ୍ରୀଙ୍କ ଜିଲ୍ଲାରେ ଥିବାବେଳେ ଗତ କାଲିଠାରୁ ଆରମ୍ଭ ହୋଇଥିବା ଧାନ କିଣାରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି, ଯାହାକି ଅତ୍ୟନ୍ତ ଲଜ୍ଜାଜନକ । ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ କେବଳ ବରଗଡ ଜିଲ୍ଲାରୁ ଧାନ କିଣା ଯାଉଥିବାବେଳେ ମିଲରମାନଙ୍କ ସହିତ ଡିଲ୍ ସରି ନଥିବାରୁ ଅନ୍ୟ ଜିଲ୍ଲାମାନଙ୍କରେ ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଧାନ କିଣୁ ନାହାନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
କୃଷକଙ୍କ ଆକ୍ରୋଶକୁ ଚାପି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨୦୦ କୋଟି ଟଙ୍କାର ଇନପୁଟ୍ ସବସିଡିର କୌଣସି ମୂଲ୍ୟ ନାହିଁ । ବର୍ତମାନ ସୁଦ୍ଧା ମରୁଡି ଘୋଷଣା ହୋଇନଥିବାବେଳେ କେଉଁ ଆଧାରରେ, କେଉଁ ଜିଲ୍ଲା, କେଉଁ ପଂଚାୟତ, କେଉଁ ଗ୍ରାମର କେଉଁ ଚାଷୀଙ୍କୁ ଇନପୁଟ ସବସିଡି ଟଙ୍କା ପ୍ରଦାନ କରାଯିବ ତାର ତାଲିକା ରାଜ୍ୟ ସରକାର ସାର୍ବଜନୀନ କରନ୍ତୁ । ସେହିପରି ୨୦୧୪ ମସିହାରେ ବରଗଡ ଜିଲ୍ଲା ସୋହେଲାଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କାର ବୋନସ ପ୍ରଦାନ କରିବାକୁ ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଫସଲ ବୀମାରେ ରାଜ୍ୟ ସରକାର ଏବଂ ବୀମା କଂପାନୀ ମଧ୍ୟରେ ମଧୁଚନ୍ଦ୍ରିକା କାରଣରୁ ଚାଷୀମାନେ ହଇରାଣ ହେଉଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପରେ ରାଜ୍ୟ ସରକାରଙ୍କ ସମସ୍ତ ଚଂଚକତା ପଦାରେ ପଡିଲା । ରାଜ୍ୟ ସରକାର ଖିଲାପକାରୀ ବୀମା କଂପାନୀ ବିରୁଦ୍ଧରେ ମାମଲା ରୁଜୁ କରିବା ସହିତ ଚାଷୀମାନଙ୍କ ଟଙ୍କା ଶୀଘ୍ର ପଠାଇବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ବକ୍ସିପାତ୍ର ଦାବୀ କରିଛନ୍ତି ।
ରାଜ୍ୟ ସରକାରଙ୍କ କୃଷି ଓ କୃଷିମାରଣ ନୀତି ବିରୁଦ୍ଧରେ ଗତ ୫ ଦିନ ହେଲାଣି ଲୋୟର ପିଏମ୍‌ଜିରେ ବିଜେପିର ସତ୍ୟାଗ୍ରହ ଜାରୀ ରହିଛି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜେନ୍ଦ୍ର ପଣ୍ଡା, ଠାକୁର ରଞ୍ଜିିତ ଦାସ, ଜିଲ୍ଲା ସଭାପତି ଗୈାତମ ରାୟ, ବାବୁ ସିଂ, ଆଶ୍ରୀତ ପଟ୍ଟନାୟକ, ରାଜ୍ୟ ସଂପାଦକ ପିଙ୍କି ପ୍ରଧାନ, ଅମର ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ ମହାନ୍ତି, ଶାରଦା ପ୍ରଧାନ, ବବିତା ମଲ୍ଲିକ, ବିଶ୍ୱଜିତ୍ ନାୟକ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ ଦାସ୍‌, ସ୍ମୃତିରେଖା ପହି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love