ଓଡ଼ିଶାର ଚାଷୀଙ୍କୁ ରାଜ୍ୟ ସରକାର ଅଣଦେଖା କରିଆସୁଛି : ଦିଲୀପ ମଲ୍ଲିକ

ଭୁବନେଶ୍ୱର, ତା.୨୯/୧୧: ଆଜିକୁ ଦୀର୍ଘ ୧୨ଦିନ ହେବ ବିଧାନସଭା ସମ୍ମୁଖରେ ବିଜେପି ଓଡିଶାର ଚାଷୀଙ୍କ ନ୍ୟାୟ ପାଇଁ ସତ୍ୟାଗ୍ରହ କରୁଛି । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଲେ ନାହିଁ । କେନ୍ଦ୍ର ସରକାର ଚାଷୀଙ୍କ ଲାଗି ଫସଲବୀମା ଯୋଜନା କରିଥିଲେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ ଏଥିରୁ ବଂଚିତ କରୁଛନ୍ତି । ନିର୍ବାଚନ ଆସିଲେ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଭ୍ରମିତ କରନ୍ତି ରାଜ୍ୟ ସରକାର । ଏଥର ବି ପଦ୍ମପୁର ଉପନିର୍ବାଚନରେ ଚାଷୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ସହ କେନ୍ଦ୍ର ମୁଣ୍ଡରେ ଦୋଷ ଲଦି ଭୋଟ ହାତେଇବାର ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଭାରତୀୟ ଜନତା ପାର୍ଟି ଶାସକ ଦଳର ଏଭଳି ହୀନ ଚକ୍ରାନ୍ତକୁ କଦାପି ସଫଳ କରିବାକୁ ଦେବ ନାହିଁ ବୋଲି ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ କହିଛନ୍ତି ।
ସର୍ବଭାରତୀୟ ସ୍ତରରେ ଚାଷୀର ଆୟ କ୍ରମାଗତ ଭାବେ ବୃଦ୍ଧି ପାଇ ୧୦ ହଜାର ହୋଇ ସାରିଥିବାବେଳେ ଦୀର୍ଘ ୨୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ସରକାରରେ ଓଡିଶାର ଚାଷୀଙ୍କ ଆୟ ମାତ୍ର ୫ ହଜାରରେ ସୀମିତ ହୋଇ ରହିଛି । ଚାଷ ଜମିକୁ ଜଳ, ଫସଲବୀମା, ଶୀତଳ ଭଣ୍ଡାର, ବ୍ୟବସ୍ଥିତ ଟୋକନ ଏବଂ ଧାନ ମଣ୍ଡି, କେନ୍ଦ୍ର ଦେଉଥିବା କ୍ୱିଟାଂଲ ପିଛା ଏମଏସପି ୨୦୪୦ଟଙ୍କା ଚାଷୀଙ୍କୁ ଦେବାରେ ବିଫଳ ସବୁବେଳେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ୨୨ବର୍ଷ ଶାସନରେ ପ୍ରାୟ ୧୧ଥର ହେବ ରାଜ୍ୟରେ ୩୫% ଜଳସେଚନ କରିବାର ପ୍ରତିଶ୍ରୁତି ଓ ଘୋଷଣାକୁ ଦୋହରାଇଛି ବିଜେଡି ସରକାର । ଅଥଚ ରାଜ୍ୟର ଚାଷ ଜମିର ଜଳସେଚନ ବ୍ୟବସ୍ଥା ସେହି ୩୫% ଭିତରେ ରହିଥିବା ଦୁର୍ଭାଗ୍ୟଜନକ ।
ଚାଷୀମାନେ ଓଡ଼ିଶାର ଭବିଷ୍ୟତ । କିନ୍ତୁ ନବୀବ ବାବୁ ଓଡିଶାର ଚାଷ ଓ ଚାଷୀଙ୍କୁ ସର୍ବଦା ଅଣଦେଖା କରିଆସୁଛନ୍ତି କାହିଁକି ତାହାର ଜବାବ ରଖନ୍ତୁ । ବିଜେପି ସର୍ବଦା ଚାଷୀଙ୍କ ସାଙ୍ଗରେ ରହିଥିଲା, ରହିଛି ଓ ଆଗକୁ ମଧ୍ୟ ଚାଷୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବ । ରାଜ୍ୟ ସରକାର ନିର୍ବାଚନ ଆସିଲେ ପ୍ରତିଶୃତିର ଧୂଆଁବାଣ ମାରନ୍ତି କିନ୍ତୁ ଯୋଜନାକୁ କାର୍ଯ୍ୟକାରୀ ନକରି ସେହି ଯୋଜନା ଅର୍ଥରେ ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ପକେଟ୍‌କୁ ଗରମ କରିଥାନ୍ତି । ଏପଟେ ଚାଷୀ ନିଜର ହକ୍ ପାଇଁ ଚିତ୍କାର କରୁଥିଲେ ମଧ୍ୟ ଶାସକ ଦଳ ନେତାମାନେ ଚାଷୀଙ୍କୁ ତାଚ୍ଛଲ୍ୟ କରିବାକୁ ପଛାନ୍ତିନାହିଁ । ଗତଦିନରେ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରୁଥିବା ପ୍ରସଙ୍ଗରେ ବିଜେପି ଚାଷୀଙ୍କ ସପକ୍ଷରେ ରାଜରାସ୍ତାରେ ଲଢ଼େଇ କରୁଥିବା ସମୟରେ ବର୍ତମାନର ରାଜସ୍ୱମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କର ତାଚ୍ଛଲ୍ୟକର ବୟାନ “ଚାଷୀଙ୍କୁ ଅମର ଲଡୁ ଦିଅନ୍ତୁ ବିରୋଧୀ ଦଳ” କହିବା କଟା ଘାଆରେ ଚୂନ ଦେବା ଭଳି କଥା ରାଜ୍ୟବାସୀ ଭୁଲି ନାହାନ୍ତି । ଏଭଳି ଅସମ୍ବେଦନଶୀଳ ମନ୍ତବ୍ୟ ଦେବାରୁ ବିଜେଡି ନେତା, ମନ୍ତ୍ରୀମାନେ ନିବୃତ ରୁହନ୍ତୁ । ଯଦି ଚାଷୀଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଏଭଳି ମନବୃତି ରହେ ତାହାଲେ ଆଗାମୀ ଦିନରେ ପଦ୍ମପୁର ଉପନିର୍ବାଚନରେ ଚାଷୀ ଏହାର ଉଚିତ ଜବାବ ଦେବେ ବୋଲି ଶ୍ରୀ ମଲ୍ଲିକ କହିଛନ୍ତ ।
ବିଜେପିର ଏହି ସତ୍ୟାଗ୍ରହରେ ପୁରୀ ଜିଲ୍ଲାର ସତ୍ୟବାଦୀ, ଜୟଦେବ ଓ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଚାଷୀମାନେ ସତ୍ୟାଗ୍ରହରେ ସାମିଲ ହୋଇ ଚାଷୀ ବିରୋଧୀ ନବୀନ ସରକାର ବିରୋଧରେ ବିଷଉଦ୍‌ଗାର କରିଛନ୍ତି । ରାଜ୍ୟର ଚାଷୀଙ୍କୁ ନବୀନ ସରକାର ଯଦି ନ୍ୟାୟ ନଦେବେ ବିଜେପି ଆଗାମୀ ଦିନରେ ଏହି ଆନ୍ଦୋଳନକୁ ସାରା ଜିଲ୍ଲା, ବ୍ଲକ ସ୍ତର ପର୍ଯ୍ୟନ୍ତ ନେବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ସତ୍ୟାଗ୍ରହରେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିିନୀ ପଟ୍ଟନାୟକ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ ପ୍ରକାଶ ମିଶ୍ର, ଶାରଦା ପ୍ରଧାନ, ସୁବାଷ ଜେନା, ପ୍ରଭଞ୍ଜନ ମହାପାତ୍ର, ବସନ୍ତ ନାୟକ, ସୁଶାନ୍ତ ମଲ୍ଲିକ, ମହେଶ ମହାନ୍ତି, ସୁଶାନ୍ତ ସାବତ, ଜିଲ୍ଲା ପରିଷଦ ସଦସ୍ୟ ଲତାମଣି ଜଗଦେବ, ବିଷ୍ଣୁପ୍ର୍ରିୟା ବରାଳ, ଶିବପ୍ରସାଦ ମଲ୍ଲିକ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ଦିଲୀପ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ ।

Spread the love