ସୁମଙ୍ଗଲମ ପଞ୍ଚଭୂତ ସମ୍ମିଳନୀ ଧାରା; ସୋଆରେ ଆୟୋଜିତ ହେବ “ବାୟୁ” ସମ୍ମିଳନୀ

ଭୁବନେଶ୍ୱର, ୩୦/୧୧: ପ୍ରକୃତିରେ ସବୁକିଛି ୫ଟି ଉପାଦାନ ବା ପଂଚ ମହାଭୂତ-ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ।ଏଥିମଧ୍ୟରୁ ଗୋଟି ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ । ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରୀ । ଏହି ବାର୍ତାର ପ୍ରଚାରପ୍ରସାର ନିମନ୍ତେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି “ବାୟୁ-ମହତ୍ୱପୂ୍‌ର୍ଣ୍ଣ ଜୀବନ ଶକ୍ତି” ସମ୍ମିଳନୀ । ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଠାରେ ସମ୍ମିଳନୀ ଆୟୋଜିତ ହେବ । “ସୁମଙ୍ଗଳମ୍ ପଂଚମହାଭୂତ ସମ୍ମିଳନୀ ଶୃଙ୍ଖଳା”ର ଅଂଶବିଶେଷ ସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ହେଉଥିôବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବା ଲାଗି “ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି” ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ବିଭିନ୍ନ ବାୟୁ ଗୁଣବତା ପ୍ରସଙ୍ଗରେ ଆଲୋଚନା ହେବ । ଜଳବାୟୁ ପରିବର୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତା ବଜାୟ ରଖିବା ଲାଗି ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ ।
ଏହି ତିନି ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟାପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ, ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, କଟକ ସାଂସଦ ଶ୍ରୀ ଭର୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗ ଦେବେ। ଏହି ସମ୍ମିଳନୀରେ ୫୦୦ ରୁ ଅଧିକ ବିଶେଷଜ୍ଞ. ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟିର ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ସଚିବଗଣ, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଅଂଶଗ୍ରହଣ କରିବେ।
ପୃଥିବୀ ଭବିଷ୍ୟତ ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ରହିଛି । ବାୟୁ ମାନ ଖରାପ ହେବା ଜନିତ ସମସ୍ୟାର ସମାଧାନ ଦିଗରେ ଯୁବପିଢ଼ିଙ୍କ ଅଭିନବ ଉପାୟକୁ ଗଠନମୂଳକ ଢ଼ଙ୍ଗରେ ବିନିଯୋଗ କରିବା ଗୁରୁତ୍ୱପୂର୍ଣ୍ଣ । ଏହି ଲକ୍ଷ୍ୟ ନେଇ ଡିସେମ୍ବର ୨ ତାରିଖରେ ଯୁବପିଢ଼ିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ୍ୟ ଅଧ୍ୟୟନ, କୃଷି ପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଆଦି ଉପରେ ବିଚାରବିମର୍ଶ କରାଯିବ ।
ଏହି ଅବସରରେ ବାୟୁ ଗୁଣବତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାର ଐତିହ୍ୟ ଆଦି ବିଷୟକୁ ପ୍ରଦର୍ଶିତ କରୁଥିବା ଏକ ଜନସଚେତନତା ପ୍ରଦର୍ଶନୀ ଆୟୋଜନ କରାଯିବ । ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରୁଥିବା ସହରମାନଙ୍କୁ “ଜାତୀୟ ସ୍ୱଚ୍ଛ ବାୟୁ ସହର” ପୁରସ୍କାର ଦିଆଯିବ। ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ଫଳାଫଳ ଆଧାରରେ ବାୟୁ ଗୁଣବତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାରମୂଳକ, ନିରାକରଣଯୋଗ୍ୟ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରିଥିବା ୯ଟି ସହରକୁ ଏହି ପୁରସ୍କାର ଦିଆଯିବ। ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ ।
ବାୟୁ ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶଦାରମାନଙ୍କୁ ଏକତ୍ରିତ କରି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଆମର ବାୟୁ ଗୁଣବତା ଲକ୍ଷ୍ୟକୁ ହାସଲ କରିବା ଲାଗି ସରକାରଙ୍କ ଦ୍ୱାରା କରାଯାଇଥିବା ବହୁମୂଖି ପ୍ରୟାସ ନିର୍ମାଣ କରିବା । ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ହେଉଥିବା ସମାରୋହରେ ଜଳଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶାଳ ଭାଗିଦାରୀ ଆଧାରିତ କାର୍ଯ୍ୟକ୍ରମ ହେବ ।

Spread the love